ବୌଦ୍ଧ,୨୪/୬ : (ଭାଗବତ ମେହେର)- ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ମହାଳିକପଡ଼ା ପଞ୍ଚାୟତ ଅନ୍ତର୍ଗତ ସଂକୁରି ଗ୍ରାମରେ ବାସକରନ୍ତି ସୁଧା ଲହରାଙ୍କ ପରିବାର । ତାଙ୍କ ପରିବାରଙ୍କୁ ଗୋଟିଏ ହେଲେ ବି ଏପର୍ଯ୍ୟନ୍ତ ସରକାରୀ ଯୋଜନା ମିଳିପାରି ନାହିଁ ,ରାସନ୍ ଚାଉଳ, ଘର, ଭତା ଏମିତି ଅନେକ ଯୋଜନା ଅପହଞ୍ଚ। କିଛି ବର୍ଷ ତଳେ ତାଙ୍କରି ଘର ପୋଡ଼ି ଯାଇଥିଲା ଫଳରେ ତାଙ୍କର ଆଧାର କାର୍ଡ, ରାସନ୍ କାର୍ଡ ,ଭୋଟର କାର୍ଡ ଓ ଅନ୍ୟାନ୍ୟ କାଗଜ ପତ୍ର ନିଆଁରେ ଜଳି ଯାଇଥିଲା । ତାପରେ ପ୍ରମାଣ ପତ୍ର ପାଇଁ ସ୍ଥାନୀୟ ସରପଞ୍ଚ ଓ ବି.ଡି.ଓ ଙ୍କ ପାଖକୁ ଦଉଡ଼ି ଦଉଡ଼ି ବି କିଛି ସାହାଯ୍ୟ ମିଳି ପାରିଲା ନାହିଁ । ଏବେ ସେ ପରିବାର ପେଟକୁ ମୁଠାଏ ଖାଇବା ପାଇଁ ହଇରାଣ ହେଉଛନ୍ତି । ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବା ସହ ଅସହାୟ ପରିବାରଙ୍କୁ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି ।