ରାଞ୍ଚି, ୫/୧୧ : ପ୍ରେମିକା ସହ ବିବାହ ହୋଇପାରିଲା ନାହିଁ । ପ୍ରେମିକା ବଦଳରେ ଗାଁ ମୁରବିଙ୍କ କଥାରେ ବାଧ୍ୟ ହୋଇ ବିଧବା ଭାଉଜକୁ ବାହା ହେଲେ । ଏହି ଘଟଣା ମାନସିକ ଭାବେ ଆଘାତ ଦେବାରୁ ଆତ୍ମହତ୍ୟା କରିଦେଲା ୨୫ ବର୍ଷର ଯୁବକ । ଏପରି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ଝାଡଖଣ୍ଡର ରାମଗଡ ଜିଲ୍ଲା ରାମଗଡ ଥାନା ଅଧିନସ୍ତ ରୋଲା ବଗିଚା ଗ୍ରାମରେ ।
ମୃତ ଯୁବକଙ୍କ ବାପା ସୁଖଲାଲଙ୍କ କହିବାନୁସାରେ, ତାଙ୍କ ପୁଅ ଲବ କୁମାର ଗ୍ରାମର ଜଣେ ବ୍ୟକ୍ତିଙ୍କ ବିବାହିତ ଝିଅ ସହ ପ୍ରେସ ସମ୍ପର୍କ ଥିଲା । ବିବାହିତଙ୍କ ଶାଶୂଘର ରାମଗଡ ଓ ତାଙ୍କର ଦୁଇଜଣ ସନ୍ତାନ ମଧ୍ୟ ଅଛନ୍ତି । ଗତ ଅକ୍ଟୋବର ୧୭ରେ ଲବ କୁମାରଙ୍କୁ ତାଙ୍କ ପ୍ରେମିକା ଶାଶୂଘରକୁ ଡାକିଥିଲେ । ସେଠାରେ ପ୍ରେମିକାର ଶାଶୂଘର ଲୋକେ ଲବ୍ କୁମାର ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ । ଏହାସହ ଲବ୍ କୁମାରଙ୍କୁ ମାଡ ମଧ୍ୟ ମାରିଥିଲେ । ତେବେ ସେଠାରୁ ଲବ୍ କୁମାର କୌଣସି ପ୍ରକାରେ ଖସି ଆସି ନିଜ ମାମୁଁଙ୍କ ଘର ଭୁରକୁଣ୍ଡାକୁ ଚାଲି ଯାଇଥିଲେ । ସେଠାରେ ଗୋଟିଏ ସପ୍ତାହ ଧରି ସେ ରହିଥିଲେ ।
ଯୁବକଙ୍କ ପିତା ଆହୁରି କହିଛନ୍ତି ଯେ, ଏହାପରେ ପ୍ରେମିକାଙ୍କ ସ୍ୱାମୀ ଅପହରଣ ଓ ଦୁଷ୍କର୍ମ ଅଭିଯୋଗ ଲଗାଇଥିଲେ ।ଏନେଇ ରାମଗଡ ଥାନାରେ ମଧ୍ୟ ଅଭିଯୋଗ ହୋଇଥିଲା ।ତେବେ ଥାନା ଅଧିକାରୀ ଯୁବକ ଓ ତାଙ୍କ ପରିବାର ଲୋକଙ୍କୁ ଅକ୍ଟୋବର ୩୧ ତାରିଖରେ ଥାନାକୁ ଡାକିବା ପୂର୍ବରୁ ଗ୍ରାମରେ ପଞ୍ଚାୟତ ବସିଥିଲା । ପଞ୍ଚାୟତରେ ଯୁବକଙ୍କଠୁ ୧ ଲକ୍ଷ ୨୫ ହଜାର ଟଙ୍କା ଜରିମାନା ନିଆଯାଇଥିଲା ।
କେବଳ ଏତିକିରେ କଥା ସରିନଥିଲା । ପଞ୍ଚାୟତରେ ଲବଙ୍କୁ ତାଙ୍କର ବିଧବା ଭାଉଜଙ୍କ ସହ ବିବାହ କରି ଦିଆଯାଇଥିଲା । ତେବେ ଚତୁର୍ଥୀ ରାତି ପୂର୍ବରୁ ଲବ୍ ଘରେ କେହି ନଥିବା ବେଳେ ରଶି ଲଗାଇ ଜୀବନ ହାରିଥିଲେ । ସେହିପରି ଲବ୍ଙ୍କ ବିଧବା ଭାଉଜ କହିଛନ୍ତି ଯେ, ତାଙ୍କ ଦିଅରଙ୍କ ସହ ପଞ୍ଚାୟତରେ କଣ ହୋଇଛି ସେ ଜାଣି ନାହାଁନ୍ତି । କିନ୍ତୁ ଲବ୍ ଚାପରେ ରହୁଥିଲେ । ଏପରିକି ତାଙ୍କୁ ବଞ୍ଚାଇବା ପାଇଁ ନେହୁରା ହେବା ସହ ମଥାରେ ସିନ୍ଦୁର ଲଗାଇଥିଲେ ।
ଏନେଇ ପୋଲିସକୁ ଖବର ଦିଆଯାଇଥିଲା । ତେବେ ଗାଁର ସରପଞ୍ଚଙ୍କ ସହ ଆଉ କିଛି ଲୋକ ଲବ୍ କୁମାରଙ୍କୁ ଧମକ ଦେଉଥିବା ପୋଲିସ ଜାଣିବାକୁ ପାଇଛି । ଏହାସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲା ଡିଏସପି କହିଛନ୍ତି ।