୧ କିଲୋ ୫୦ ଗ୍ରାମ ବ୍ରାଉନ୍ ସୁଗାର ଜବତ, ୪ ଅଭିଯୁକ୍ତ ଗିରଫ

ଭୁବନେଶ୍ବର,୨୪ /୪ : ଭୁବନେଶ୍ବର ଏସଟିଏଫ୍ ଟିମ୍ ଦ୍ୱାରା ଚଢାଉ କରାଯାଇ ୧ କିଲୋଗ୍ରାମ ୫୦ ଗ୍ରାମ ବ୍ରାଉନ୍ ସୁଗାର, ଗୋଟିଏ ପ୍ୟାକିଂ ମେସିନ୍ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଥିବାର ଖବର ମିଳିଛି। ଏହି ମାମଲାରେ ୪ ଅଭିଯୁକ୍ତଙ୍କୁ ଗିରଫ ବି କରାଯାଇଛି।

ଏସଟିଏଫ୍ ଟିମ୍ ପକ୍ଷରୁ ଖୋର୍ଦ୍ଧା- ବରୁଣେଇ ରାସ୍ତାରେ ଚଢାଉ କରାଯାଇ ବରୁଣେଇ ଅଞ୍ଚଳର ବିଜୟ ମହାନ୍ତି ନାମକ ଜଣେ ବ୍ରାଉନସୁଗାର ବିକ୍ରେତାଙ୍କୁ ଧରାଯାଇଥିଲା। ତାଙ୍କ ନିକଟରୁ ୧ କିଲୋଗ୍ରାମ ୫୦ ଗ୍ରାମ ବ୍ରାଉନ୍ ସୁଗାର, ଗୋଟିଏ ପ୍ୟାକିଂ ମେସିନ୍ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଥିଲା। ପଚରାଉଚରା ସମୟରେ ଅଭିଯୁକ୍ତ ସ୍ବୀକାର କରିଥିଲେ ଯେ ଜଳେଶ୍ବର ଥାନା ଅନ୍ତର୍ଗତ ଶେଖ୍ ଜୁମାନ, ଜଗତସିଂହପୁରର ସୌମ୍ୟଜିତ ପରିଜା, ସାଗର ବେହେରା ଏବଂ ସପନ ଭଟ୍ଟାଚାର୍ଯ୍ୟଙ୍କ ଠାରୁ ସେ ବ୍ରାଉନ୍ ସୁଗାର ପାଇଥିଲେ।

ଏସଟିଏଫ୍ ପକ୍ଷରୁ ପରବର୍ତ୍ତୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ସମସ୍ତ ଉପରୋକ୍ତ ଅଭିଯୁକ୍ତମାନଙ୍କୁ ବାଲେଶ୍ବର ଯିବା ବାଟରେ ଗିରଫ କରାଯିବା ସହ ସେମାନଙ୍କ କାର ଏବଂ ନଗଦ ଟଙ୍କା ୫ ଲକ୍ଷ ୩୦ ହଜାର ଟଙ୍କା ଜବତ କରାଯାଇଥିଲା।