ବାଲେଶ୍ୱର, ୧୭/୧୧ : ବାଲେଶ୍ୱର ଜିଲ୍ଲା ଅରଡ଼ ବଜାରରୁ ପୋଲିସ ବ୍ରାଉନ ସୁଗାର ଜବତ କରିବା ସହ ୨ଜଣ ମହିଳାଙ୍କୁ ଗିରଫ କରିଛି । ଜଣଙ୍କ ନିକଟରୁ ୪୧ଗ୍ରାମ ଓ ଅନ୍ୟ ଜଣେ ମହିଳାଙ୍କ ଠାରୁ ୪୫ଗ୍ରାମ ଧଳା ଜହର ଜବତ କରିଥିବା ଜଣା ପଡ଼ିଛି । ତେବେ ଏହି ମହିଳା ଦୁଇଜଣ ଅରଡ଼ ବଜାର ଅଂଚଳର ଖୁଚୁରା ଭାବେ ଏହି ଧଳା ଜହର କାରବାର କରୁଥିଲେ । ତେବେ ଏକ ବିଶେଷ ସୂତ୍ରରୁ ଖବର ପାଇ ସହଦେବଖୁଣ୍ଟା ପୋଲିସ ଏହି ଦୁଇ ଜଣଙ୍କୁ ବିକ୍ରି କରୁଥିବା ସମୟରେ ଧରିବାରେ ସଫଳ ହୋଇଛି । ଏହି ଦୁଇଜଣ ମହିଳା ହେଲେ ରୋଜିନା ବିବି ଓ ସୋହେଲା ବିବି । ଏମାନଙ୍କ ନିକଟରୁ ନଗଦ ୧୮ହଜାର ୭ଶହ ଟଙ୍କା ମଧ୍ୟ ଜବତ କରିଛି ପୋଲିସ । ଏମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରିଛି ପୋଲିସ ।