ନୂଆଦିଲ୍ଲୀ, ୧୭/୧୨ : ପଞ୍ଜାବର ଅଟ୍ଟାରି ସୀମାରେ ଦୁଇଜଣ ସଶସ୍ତ୍ର ଅନୁପ୍ରବେଶକାରୀଙ୍କ ମୃତ୍ୟୁ ଘଟିଛି । ଭାରତୀୟ ସୀମାକୁ ପ୍ରବେଶ ଉଦ୍ୟମ କରୁଥିବାବେଳେ ସୀମା ସୁରକ୍ଷା ବଳ (ବିଏସ୍ଏଫ୍) ଯବାନଙ୍କ ଗୁଳିରେ ଦୁଇ ଅନୁପ୍ରବେଶକାରୀ ନିହତ ହୋଇଛନ୍ତି। ସେମାନଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ମଧ୍ୟ ଉଦ୍ଧାର କରାଯାଇଛି।
ସୂଚନା ଅନୁଯାୟୀ, ବୁଧବାର ବିଳମ୍ବିତ ରାତି ୨.୩୦ରେ ଅଟ୍ଟାରି ସୀମାନ୍ତର ଅତି ନିକଟ ରାଜତଳା ଅଞ୍ଚଳରେ ଏହି ଦୁଇ ସଶସ୍ତ୍ର ଅନୁପ୍ରବେଶକାରୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସମ୍ପୃକ୍ତ ଅଞ୍ଚଳରେ ସୀମା ସୁରକ୍ଷା ବଳ ତଲାସ ଅଭିଯାନ ଆରମ୍ଭ କରିଛି। କିନ୍ତୁ, ଘନ କୁହୁଡ଼ିରେ ସେ ଅଞ୍ଚଳ ଆଚ୍ଛନ୍ନ ହୋଇଥିବାରୁ ତଲାସ ଅଭିଯାନରେ ବାଧା ଉପୁଜିଥିବା ସୂଚନା ମିଳିଛି।