ନୂଆଦିଲ୍ଲୀ,୧/୨ : ସଂସଦରେ ବଜେଟ ଉପସ୍ଥାପନା କରି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ସାରା ଦେଶରେ ସରକାର ୧୦୦ଟି ନୂଆ ସୈନିକ ସ୍କୁଲ ନିର୍ମାଣ କରିବେ । ଏହି ସ୍କୁଲ ନିର୍ମାଣରେ ପ୍ରାଇଭେଟ ପାର୍ଟନର ମଧ୍ୟ ସହଯୋଗ କରିବେ। ତାଛଡା ଉଚ୍ଚ ଶିକ୍ଷା ପାଇଁ କେନ୍ଦ୍ର ସରକାର ଏକ ନୂଆ ଆୟୋଗ ସ୍ଥାପନା କରିବାକୁ ନିଷ୍ପତି ନେଇଛନ୍ତି। କେନ୍ଦ୍ରୀୟ ବଜେଟରେ ଶିକ୍ଷା ଓ ସ୍କୁଲମାନଙ୍କ ପାଇଁ ବିଶେଷ ପ୍ରାବଧାନ କରାଯାଇଛି।
ଦେଶରେ କେନ୍ଦ୍ରୀୟ ବିଦ୍ୟାଳୟ ନେଟୱାର୍କରେ ମଧ୍ୟ ବିସ୍ତାର କରାଯିବ। ଦେଶର ବିଭିନ୍ନ ଭାଗରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଶାଖା ନିର୍ମାଣ ହେବ। କେନ୍ଦ୍ର ସରକାର ଲେହରେ ମଧ୍ୟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନା କରିବା ସମୟରେ ନୂଆ ଶିକ୍ଷା ନୀତି ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଭାରତରେ ନୂଆ ରାଷ୍ଟ୍ରୀୟ ଶିକ୍ଷା ନୀତିକୁ ସମସ୍ତେ ସ୍ୱୀକାର କରିଛନ୍ତି। ଉଚ୍ଚ ଶିକ୍ଷା ନୀତିକୁ ଅଧିକ ପ୍ରଭାବଶାଳୀ ଓ ସୁଲଭ କରିବାକୁ ସରକାର ଉଚ୍ଚ ଶିକ୍ଷା କମିଶନ ଗଠନ କରିବାକୁ ଯାଉଛନ୍ତି ବୋଲି ସେ କହିଛନ୍ତି।
ଏହାସହ ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଡିଜିଟାଲ ଇଣ୍ଡିଆ ପାଇଁ ୩୭୦୦ କୋଟି ଟଙ୍କା ପ୍ରାବଧାନ କରାଯାଇଛି। ସେ କହିଛନ୍ତି ଯେ ୧୦୦ଟି ନୂଆ ସୈନିକ ସ୍କୁଲ ନିର୍ମାଣ ହେବ। ଏଥିପାଇଁ ପ୍ରାଇଭେଟ ସେକ୍ଟର ମଧ୍ୟ ସହଯୋଗ ନିଆଯିବ। ଦେଶରେ ନିର୍ମାଣ ହେବାକୁ ଥିବା ୧୦୦ଟି ସୈନିକ ସ୍କୁଲ ପିପିପି ମଡେଲ ଆଧାରରେ ନିର୍ମାଣ ହେବ। ବଜେଟରେ ରାଷ୍ଟ୍ରୀୟ ଭାଷାକୁ ମହତ୍ତ୍ୱ ଦେଇ ଦେଶରେ ଗୋଟିଏ ରାଷ୍ଟ୍ରୀୟ ଭାଷା ଅନୁବାଦ ମିଶନ ଆରମ୍ଭ କରିବାକୁ ନିର୍ଣ୍ଣୟ ନେଇଛନ୍ତି।