ବିହାରରେ ରେକର୍ଡ ଭାଙ୍ଗିଲା ଭୋଟିଂ : ପ୍ରଥମ ପର୍ଯ୍ୟାୟରେ ୬୪.୬୬ ପ୍ରତିଶତ ମତଦାନ

ନୂଆଦିଲ୍ଲୀ, ୦୭/୧୧ : ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ଏଥର ବମ୍ପର ଭୋଟିଂ ହୋଇଛି। ୧୮ଟି ଜିଲ୍ଲାର ୧୨୧ଟି ବିଧାନସଭା ଆସନରେ ରେକର୍ଡ ୬୪.୬୬% ମତଦାନ ହୋଇଛି। ପ୍ରଥମ ପର୍ଯ୍ୟାୟରେ ମୋଟ ୧,୩୧୪ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ, ଯେଉଁଥିରେ ୧,୧୯୨ ପୁରୁଷ ଏବଂ ୧୨୨ ମହିଳା ଥିଲେ। ପ୍ରଥମ ପର୍ଯ୍ୟାୟରେ ୧୦୨ଟି ଆସନ ସାଧାରଣ ବର୍ଗ ପାଇଁ ସଂରକ୍ଷିତ ଥିଲା। ୧୯ଟି ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ଥିଲା। ଏହି ପର୍ଯ୍ୟାୟରେ ମୋଟ ୩ କୋଟି ୭୫ ଲକ୍ଷ ଭୋଟରଙ୍କୁ ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଛନ୍ତି। ବିହାରରେ ଗତ ୨୫ ବର୍ଷ ପରେ ଏତେ ଉତ୍ସାହପୂର୍ଣ୍ଣ ମତଦାନ ଦେଖିବାକୁ ମିଳିଛି। ୨୦୦୦ ମସିହା ପରେ ପ୍ରଥମ ଥର ଭୋଟର ନିଜ ଭୋଟର ଭରପୁର ଉପଯୋଗ କରିଛନ୍ତି। ନିର୍ବାଚନ ଆୟୋଗଙ୍କ ତଥ୍ୟ ଅନୁଯାୟୀ, ୨୦୨୦ରେ ୫୭.୨୯ ପ୍ରତିଶତ ମତଦାନ ହୋଇଥିଲା। ସେହି ସମୟରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲା। ଆଜି ନୀତିଶ କୁମାର ନିଜ ସରକାରର ଦୁଇ ଦଶନ୍ଧି ପୂରା କରିବାକୁ ଯାଉଥିବା ବେଳେ ପୁଣି ଥରେ ବିହାର ଗଣତନ୍ତ୍ରର ପର୍ବରେ ଡୁବି ଯାଇଛି।

୨୦୦୦ରେ ଯେବେ ବମ୍ପର ଭୋଟିଂ ହୋଇଥିଲା, ସେହି ସମୟରେ ଆରଜେଡି ସବୁଠୁ ବଡ଼ ପାର୍ଟି ଭାବେ ସାମ୍ନାକୁ ଆସିଥିଲା। କଂଗ୍ରେସ ଓ ଅନ୍ୟ ଦଳର ସମର୍ଥନରେ ରାବଡ଼ି ଦେବୀଙ୍କ ସରକାର ଗଠନ ହୋଇଥିଲା ଯାହା ୨୦୦୫ ପର୍ଯ୍ୟନ୍ତ ଚାଲିଥିଲା। ୨୦୦୫ରେ ଦୁଇ ଥର ନିର୍ବାଚନ ହୋଇଥିଲା। ପ୍ରଥମ ଥର ଫେବୃଆରୀରେ ୪୬.୦୫ ପ୍ରତିଶତ ଓ ଦ୍ଵିତୀୟ ଅକ୍ଟୋବରରେ ୪୫.୮୫ ପ୍ରତିଶତ ଭୋଟିଂ ସହ ନୀତିଶ କୁମାରଙ୍କ ନେତୃତ୍ଵରେ ଏନଡିଏର ବହୁମତ ସରକାର ଗଠନ ହୋଇଥିଲା। ବିହାରରେ ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହେବା ପରେ, ଏବେ ଦ୍ୱିତୀୟ ତଥା ଶେଷ ପର୍ଯ୍ୟାୟର ସମୟ ଆସିଛି। ଦ୍ୱିତୀୟ ପର୍ଯ୍ୟାୟରେ ୧୨୨ଟି ଆସନ ପାଇଁ ଭୋଟ୍ ୧୧ ନଭେମ୍ବରରେ ହେବ। ଭୋଟ୍ ଗଣତି ୧୪ ନଭେମ୍ବରରେ ହେବ। ଏହି ଦିନ ଜଣା ପଡ଼ିବ କିଏ ହାସଲ କରିବ ସିଂହାସନ। ଏଥର ବିଜେପି ନେତୃତ୍ଵାଧିନ ଏନଡିଏ ଓ ଆରଜେଡି ନେତୃତ୍ଵାଧୀନ ମହାମେଣ୍ଟ ସହ ମଇଦାନରେ ଅଛି ପ୍ରଶାନ୍ତ କିଶୋରଙ୍କ ଜନ ସୂରାଜ ପାର୍ଟି।