ଖଜୁରିପଡ଼ା, ୧୮/୧୨ : ଖଜୁରିପଡ଼ା ଥାନା ଅନ୍ତର୍ଗତ ଗଡ଼ିଆପଡ଼ା ସ୍କୁଲ୍ ନିକଟରେ ଏକ ଘରୋଇ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ୨୧ ଜଣ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତ ଯାତ୍ରୀମାନଙ୍କ ମଧ୍ୟରୁ ୬ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ସାଙ୍ଘାତିକ ଥିବା କଥା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଟିକିବାଲିରୁ ଭୁବନେଶ୍ୱର ଯାଉଥିବା ‘ରାଜା’ ନାମକ ବସ୍ଟି କୌଣସି କାରଣରୁ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଖବର ପାଇ ଖଜୁରିପଡ଼ା ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ। ଚିକିତ୍ସା ନିମନ୍ତେ ପ୍ରଥମେ ଆହତ ଯାତ୍ରୀମାନଙ୍କୁ ଖଜୁରିପଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଆନୁଷଙ୍ଗିକ ଚିକିତ୍ସା ପରେ ଉନ୍ନତ ଚିକିତ୍ସା ନିମନ୍ତେ ଆହତ ବ୍ୟକ୍ତିମାନଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।