ମୁମ୍ବାଇ, ୧୪/୧୧: ମହାରାଷ୍ଟ୍ରର ସତରା ଜିଲ୍ଲାର କରାଡ ଟାଉନ୍ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବ୍ରିଜ୍ରୁ ଏକ ପିକ୍ନିକ୍ ବସ୍ ଶୁଖିଲା ନଦୀକୁ ଖସି ପଡ଼ିବାରୁ ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୮ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି ।
ବସଟି ମହାରାଷ୍ଟ୍ରରୁ ଗୋଆ ଅଭିମୁଖେ ଯାତ୍ରା କରୁଥିଲା। ମୃତ ଓ ଆହତ ବ୍ୟକ୍ତିଙ୍କ ଘର ନାଭି ମୁମ୍ବାଇର ବାସୀରେ ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି। ଶନିବାର ଅପରାହ୍ନ ୪.୩୦-୪.୪୫ ସମୟରେ ଦ୍ରୁତ ଗତିରେ ଯାଉଥିବା ବସ୍ ଉପରୁ ନିୟନ୍ତ୍ରଣ ହରାଇଥିଲେ ବସ୍ ଡ୍ରାଇଭର ରିଙ୍କୁ ସାହୁ। ପୁନେ-ବେଙ୍ଗାଲୁରୁ ଜାତୀୟ ରାଜପଥ ଉପରେ ବସ୍ଟି ଦ୍ରୁତ ଗତିରେ ମାଡ଼ି ଚାଲିଥିବା ବେଳେ ଉମ୍ବ୍ରାଜ୍ ଠାରେ ବ୍ରିଜ୍ରୁ ୪୦ ଫୁଟ୍ ତଳକୁ ଖସିପଡ଼ିଥିଲା ବୋଲି ସେ କହିଛନ୍ତି।
ଘଟଣାସ୍ଥଳରେ ପୋଲିସ ଓ ଉଦ୍ଧାରକାରୀ ଦଳ ପହଞ୍ଚି ଆହତମାନଙ୍କୁ ହସ୍ପିଟାଲ ପଠାଇଥିବା ଜଣାପଡ଼ିଛି। ମୃତ ବ୍ୟକ୍ତିମାନେ ହେଲେ- ଉଷା ନାଏର(୪୦), ମଧୁସୂଦନ ନାଏର (୪୨), ଆଦିତ୍ୟ ନାଏର(୨୩), ସାଜନ ନାଏର(୩୫) ଓ ଆରବ ନାଏର (୩)। ତେବେ ଅନ୍ୟ ଆହତଙ୍କ ଚିକିତ୍ସା ଚାଲିଥିବା ବେଳେ ଡ୍ରାଇଭର ବିରୋଧରେ ବିଭିନ୍ନ ମାମଲା ରୁଜୁ କରିଛି ପୋଲିସ।