ବଜେଟ୍ ପୂର୍ବରୁ ବଡ଼ ଝଟକା, ବଢିଲା କମର୍ସିଆଲ ସିଲିଣ୍ଡର ଗ୍ୟାସ୍ ଦାମ୍

ନୂଆଦିଲ୍ଲୀ, ୦୧/୦୨ : ବଜେଟ୍ ପୂର୍ବରୁ ସାଧାରଣ ନାଗରିକ ଏବଂ ବ୍ୟବସାୟୀଙ୍କୁ ବଡ଼ ଝଟକା । ସରକାର ୧୯ କିଲୋଗ୍ରାମର କମର୍ସିଆଲ LPG ସିଲିଣ୍ଡରର ଦାମ୍ ୫୦ ଟଙ୍କାକୁ ବୃଦ୍ଧି କରିଛନ୍ତି । ୧୪ କିଲୋଗ୍ରାମର ଘରୋଇ ସିଲିଣ୍ଡର ଦାମରେ କୌଣସି ପରିବର୍ତ୍ତନ ହୋଇନାହିଁ । ଘରୋଇ ସିଲିଣ୍ଡରଗୁଡିକ ୮ ଏପ୍ରିଲ ୨୦୨୫ରେ ନିର୍ଦ୍ଧାରିତ ହୋଇଥିବା ପୁରୁଣା ମୂଲ୍ୟରେ ମିଳୁଛି । ରନ୍ଧନ ଗ୍ୟାସର ମୂଲ୍ୟ ବୃଦ୍ଧି ପରେ, ଦିଲ୍ଲୀରେ ୧୯ କିଲୋଗ୍ରାମର ଏଲପିଜି ସିଲିଣ୍ଡରର ମୂଲ୍ୟ ଏବେ ୧୭୪୦.୫୦ ଟଙ୍କାକୁ ବୃଦ୍ଧି ପାଇଛି । କୋଲକାତାରେ ଏହି ମୂଲ୍ୟ ୧୮୪୪.୫୦ ଟଙ୍କାକୁ ବୃଦ୍ଧି ପାଇଛି । ସେହିପରି ପୂର୍ବରୁ ଏହାର ମୂଲ୍ୟ ୧୬୪୨.୫୦ ଟଙ୍କା ଥିବାବେଳେ ମୁମ୍ବାଇରେ ୧୬୯୨.୦୦ ଟଙ୍କାରେ ଏବେ ଉପଲବ୍ଧ ହେବ । ଚେନ୍ନାଇରେ ଏହି ମୂଲ୍ୟ ଏବେ ୧୮୯୯.୫୦ ଟଙ୍କାକୁ ବୃଦ୍ଧି ପାଇଛି । ସରକାର ସ୍ପଷ୍ଟ କରିଛନ୍ତି ଯେ, ଏହି ୫୦ ଟଙ୍କା ବୃଦ୍ଧି ହୋଟେଲ, ରେଷ୍ଟୁରାଣ୍ଟ, ଢାବା ଏବଂ ଅନ୍ୟାନ୍ୟ ବାଣିଜ୍ୟିକ ପ୍ରତିଷ୍ଠାନରେ ବ୍ୟବହୃତ କମର୍ସିଆଲ ସିଲିଣ୍ଡର ପାଇଁ ପ୍ରଯୁଜ୍ୟ । ଘରୋଇ ବ୍ୟବହାର ପାଇଁ ୧୪.୨ କିଲୋର LPG ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ । ଏହାକୁ ଶେଷ ଥର ପାଇଁ ୮ ଏପ୍ରିଲ୍ ୨୦୨୫ରେ ସଂଶୋଧିତ କରାଯାଇଥିଲା । ଅନ୍ୟପଟେ ପେଟ୍ରୋଲିୟମ୍ ମାର୍କେଟିଂ ସହିତ ଜଡିତ ଥିବା ସରକାରୀ କମ୍ପାନୀଗୁଡିକ ପ୍ରତି ମାସର ଆରମ୍ଭରେ LPG ସିଲିଣ୍ଡର ଦାମର ସମୀକ୍ଷା କରିଥାଆନ୍ତି । ଏଥିରେ ପ୍ରଥମେ ଜାନୁଆରୀରେ ୧୯ କିଲୋରେ କମର୍ସିଆଲ ଗ୍ୟାସ୍ ସିଲିଣ୍ଡରର ଦାମ୍ ବୃଦ୍ଧି କରାଯାଇଥିଲା । ଗତ ବର୍ଷ ନଭେମ୍ବର ଏବଂ ଡିସେମ୍ବରରେ, ଏହି ସିଲିଣ୍ଡରର ମୂଲ୍ୟ ଯଥାକ୍ରମେ ପାଞ୍ଚ ଏବଂ ଦଶ ଟଙ୍କା ହ୍ରାସ କରାଯାଇଥିଲା ।