ନୂଆଦିଲ୍ଲୀ : ୨୦୨୪ ମସିହା ସୁଦ୍ଧା ଗ୍ରାମାଞ୍ଚଳର ପ୍ରତ୍ୟେକ ପରିବାରକୁ ସ୍ୱଚ୍ଛ ପାନୀୟଜଳ ଯୋଗାଇ ଦେବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ୍ କହିଛନ୍ତି । ସେ କହିଛନ୍ତି, ଜଳ ଜୀବନ ମିଶନ୍ ଶୁଭାରମ୍ଭ ହେବା ଦିନ ଠାରୁ ଗ୍ରାମାଞ୍ଚଳର ୩ କୋଟି ୮୦ଲକ୍ଷ ପରିବାରକୁ ପାଇପ୍ ପାଣି ସଂଯୋଗ ଦିଆଯାଇ ସାରିଛି। ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଜଳ ଜୀବନ ମିଶନ୍ ଉପରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ଏକ ସମ୍ମିଳନୀରେ ଅଧ୍ୟକ୍ଷତା କରି ଶ୍ରୀ ଶେଖାୱତ୍ କହିଛନ୍ତି, ଗ୍ରାମାଞ୍ଚଳର ୭ କୋଟିରୁ ଅଧିକ ପରିବାର ସେମାନଙ୍କ ଘରେ ସ୍ୱଚ୍ଛ ପାନୀୟଜଳ ପାଇପାରୁଛନ୍ତି।
ସେ କହିଛନ୍ତି, ମାତ୍ର ଦେଢ଼ ବର୍ଷ ମଧ୍ୟରେ ଏହି ପାଇପ୍ ଜଳ ଯୋଗାଣ ୧୭ ପ୍ରତିଶତରୁ ବୃଦ୍ଧି ପାଇ ୩୭ ପ୍ରତିଶତରେ ପହଞ୍ଚିଛି। ମିଶନ୍ର ଉଦ୍ଦେଶ୍ୟଗୁଡ଼ିକୁ ପ୍ରଶଂସା କରି ମନ୍ତ୍ରୀ କହିଛନ୍ତି, ଚଳିତ ବର୍ଷ ୩କୋଟି ପରିବାରକୁ ପାଇପ୍ ଜଳ ଯୋଗାଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଏହି ଲକ୍ଷ୍ୟ ପୂରଣ କରିପାରିଛନ୍ତି। ଏହି ଅବସରରେ ଶ୍ରୀ ଶେଖାୱତ୍ ପାନୀୟ ଜଳ ଗୁଣବତ୍ତା ପରୀକ୍ଷଣ, ଯାଞ୍ଚ୍ ଏବଂ ନିରୀକ୍ଷଣ ବ୍ୟବସ୍ଥା ଏବଂ ଜଳଜୀବନ ମିଶନ୍-ଜଳ ଗୁଣବତ୍ତା ପରିଚାଳନା ସୂଚନା ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି। ଏହି ବ୍ୟବସ୍ଥା ବିଭିନ୍ନ ଗୃହକୁ ଯୋଗାଇ ଦିଆଯାଉଥିବା ଜଳର ଗୁଣବତ୍ତା ସମ୍ପର୍କୀତ ତଥ୍ୟ ଦର୍ଶାଇବ। ଶ୍ରୀ ଶେଖାୱତ୍ କହିଛନ୍ତି, ଏହି ବ୍ୟବସ୍ଥା ବିଶୁଦ୍ଧ ପାନୀୟଜଳ ଯୋଗାଣ ସୁନିଶ୍ଚିତ କରିବା ସହ ଏକ ନୂତନ କୀର୍ତ୍ତିମାନ ସ୍ଥାପନ କରିବ।