କ୍ୟାବିନେଟ୍ ନିଷ୍ପତ୍ତି: ୧୨୫ ନୂଆ ଓଏଏସ୍ ପଦବୀକୁ ମଞ୍ଜୁର, ୬ଟି ପ୍ରସ୍ତାବରେ ମୋହର

ଭୁବନେଶ୍ୱର : ଶୁକ୍ରବାର ଅପରାହ୍ଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇ ୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ଭେଟେରିନାରୀ ସର୍ଭିସ ରୁଲରେ ସଂଶୋଧନକୁ ମଞ୍ଜୁରୀ ମିଳିଛି । ଏଣିକି ସାକ୍ଷାତକାର ହଟାଯାଇ କେବଳ ଲିଖିତ ପରୀକ୍ଷ ଓପିଏସ୍ସି ମାଧ୍ୟମରେ କରାଯିବ । ଅର୍ଥାତ୍ ଭିଏଏସ୍ ପଦବୀ ପାଇଁ କେବଳ ଲିଖିତ ପରୀକ୍ଷା କରାଯିବ ବୋଲି କ୍ୟାବିନେଟରେ ପ୍ରସ୍ତାବ ପାରିତ ହୋଇଛି ।

ଅନ୍ୟପକ୍ଷରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ୨ୟ ବିଚାର ବିଭାଗୀୟ ବେତନ କମିଶନଙ୍କ ସୁପାରିଶ ଅନୁସାରେ, ଦରମା ପ୍ରଦାନ କରାଯିବ । ଏଥିଲାଗି ରାଜ୍ୟ ସରକାର ଅତିରିକ୍ତ ୯୩ କୋଟି ଟଙ୍କା ବ୍ୟୟ କରିବେ । ସେହିପରି ପାଣି ପଞ୍ଚାୟତରେ ମେଗା ଉଠା ଜଳସେଚନ ପ୍ରକଳ୍ପକୁ ମିଶାଇ ଦେବା ପାଇଁ ବୈଠକରେ ନିଷ୍ପତ୍ତି ମଧ୍ୟ ନିଆଯାଇଛି । ହିତାଧିକାରୀଙ୍କ ସ୍ତ୍ରୀ ବି ପାଣି ପଞ୍ଚାୟତରେ ସାମିଲ ରହିବେ । ପାଣି ପଞ୍ଚାୟତର ଅବଧି ୩ ବର୍ଷରୁ ୫ ବର୍ଷ ବୃଦ୍ଧିକୁ କ୍ୟାବିନେଟ୍ ଅନୁମୋଦନ କରିଛି ।୩ ବର୍ଷ ଓ ୬ ବର୍ଷର ସନ୍ଦେହ ଦୂରକରି ସମସ୍ତଙ୍କୁ ସମାନ କରିବା ପୂର୍ବକ ଚକ କମିଟି ଓ ପାଣି ପଞ୍ଚାୟତର କାର୍ଯ୍ୟକାଳକୁ ୫ ବର୍ଷ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହି ସଂଶୋଧନ ୫ଶହ ହେକ୍ଟରରୁ ୨ ହଜାର ହେକ୍ଟର ଭିତରେ ହେଉଥିବା ବୃହତ୍ତ ଉଠାଜଳସେଚନ ପ୍ରକଳ୍ପରେ ପାଣି ପଞ୍ଚାୟତ ଗଠନ ଏବଂ ଉଚ୍ଚତର କୃଷକ ସଂଗଠନକୁ ସୁନିଶ୍ଚିତ କରିବା । ଏହାସହ ଅନ୍ୟ ଦିଗ ସହିତ ମହିଳାମାନଙ୍କ ପ୍ରତିନିଧିତ୍ୱକୁ ବୃଦ୍ଧି କରିବାରେ ଓ ଜଳର ସୁପରିଚାଳନାରେ ଏହା ସହାୟକ ହେବ ।

ସେହିପରି ଓଏଏସ୍ ଗ୍ରୁପ୍-ଏ ଜୁନିୟର ବ୍ରାଞ୍ଚରେ ୧୨୫ଟି ନୂତନ ପଦବୀକୁ ଅନୁମୋଦନ ଦିଆଯାଇଛି । ଫଳରେ ଏହି ପଦବୀ ସଂଖ୍ୟା ୧୧୮୮ରୁ ବୃଦ୍ଧି ପାଇ ୧୩୧୩ଟି ପଦବୀରେ ପହଞ୍ôଚଛି । ଅନ୍ୟପକ୍ଷରେ ଗଞ୍ଜାମ ଜିଲ୍ଲା କାଳିପଲ୍ଲୀ ମୌଜାରେ ୨୦୬ ଏକର ଜମି ମାଲିକଙ୍କୁ ଫେରସ୍ତ ଦିଆଯିବ । ଟାଟା ଷ୍ଟିଲ କମ୍ପାନୀ ପ୍ରତିଷ୍ଠା ପାଇଁ ୨୦ ବର୍ଷ ତଳେ ଏହି ଜମି ଅଧିଗ୍ରହଣ କରାଯାଇଥିଲା । ଏବେ ଏହାକୁ ଜମିମାଲିକମାନଙ୍କୁ ଫେରସ୍ତ କରାଯିବ । ଫଳରେ ସେହି ଅଞ୍ଚଳରେ ଶିଳ୍ପାନୁକୂଳ ବାତାବରଣ ବିକଶିତ ହୋଇପାରିବ ।

କ୍ୟାବିନେଟ୍ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, ସମସ୍ତ ପ୍ରକାର ନ୍ୟାୟିକ ପ୍ରକ୍ରିୟାର ସମାପ୍ତି ପରେ ସମ୍ବଲପୁର-ରାଉରକେଲା ରାସ୍ତାର ପ୍ରଶସ୍ତିକରଣ ଓ ସୁଦୃଢ଼ୀକରଣ ପାଇଁ ହୋଇଥିବା କାର୍ଯ୍ୟର ୩ଟି ଚୁକ୍ତିନାମା ନିମିତ୍ତ ମଧ୍ୟସ୍ତ ନ୍ୟାୟାଧୀକରଣଙ୍କ ଦ୍ୱାରା ଗତ ୧୭.୦୧.୨୦୦୨ର ଆଦେଶନାମାରେ ଦିଆଯାଇଥିବା ଆୱାର୍ଡକୁ ଅନୁପାଳନ ପାଇଁ ଲାର୍ସନ ଓ ଟର୍ବୋ ଲିମିଟେଡ୍ ୧୦୦ କୋଟି ୬ ଲକ୍ଷ ୪୨ ହଜାର ୪୬୬ ଟଙ୍କା ପ୍ରଦାନ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

SBI_Festive_Digital Billboard