ମୂଷା ନେଇଗଲା ରୁସା ଅନୁଦାନ : ଉତ୍କଳ ବିଶ୍ୱବିଦ୍ୟାଳୟରେ ଆଇସିଟି ଲ୍ୟାବ୍‌ ପ୍ରତିଷ୍ଠା ଭେଳିକି

ଭୁବନେଶ୍ୱର,୨୫/୦୯: ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ (ରୁସା) ଅନୁଦାନରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଆଇସିଟି ଲ୍ୟାବ୍‌ ପ୍ରତିଷ୍ଠା ନିମନ୍ତେ କମ୍ପ୍ୟୁଟର କିଣାଗଲା କିନ୍ତୁ ବିଭିନ୍ନ ବିଭାଗରେ ବାଣ୍ଟି ଦିଆଗଲା । ଏବେ ବି ୧୬ଟି ଲାପଟପ୍‌ ସେମିତି ପଡି ରହିଛି । ଆଉ ଦୁଇଟି ଲାପଟପ୍‌ ଲାପତ୍ତା ହୋଇଯାଇଛି । ଏପରି ତ୍ରୁଟି ଧରିଛନ୍ତି ଭାରତର ମହାଲେଖା ନିୟନ୍ତ୍ରକ ତଥା ମହାସମୀକ୍ଷକ (ସିଏଜି) । ଏହି ଅନୁଦାନର ଲକ୍ଷ୍ୟ ଥିଲା ରାଜ୍ୟର ଉଚ୍ଚ ଶିକ୍ଷାନୁଷ୍ଠାନରେ ଭିତ୍ତିଭୂମି ନିର୍ମାଣ ଓ ଗୁଣବତ୍ତା ଏବଂ ଉତ୍କର୍ଷ ଆଣିବା । ସିଏଜି ରିପୋର୍ଟରେ ଦର୍ଶାଯାଇଛି ଯେ ଉତ୍କଳ ବିଶ୍ୱବିଦ୍ୟାଳୟକୁ ଦୁଇଟି ପର୍ଯ୍ୟାୟରେ ୯୩ କୋଟି ‘ରୁସା’ ଅନୁଦାନ ଆସିଥିଲା । ଏଥିରୁ ୧୯ କୋଟି ୪୮ ଲକ୍ଷ ଟଙ୍କାରେ ରୁସା ଭବନ ନିର୍ମାଣ ହେଲା । ଲକ୍ଷ୍ୟ ଥିଲା ଏହି କୋଠାରେ କମ୍ପ୍ୟୁଟର କେନ୍ଦ୍ର, ଆଲୁମନି ହଲ୍‌, ଆକାଡେମିକ୍‌ ବ୍ଲକ୍‌ କାର୍ଯ୍ୟ କରିବ । କିନ୍ତୁ କୋଠା ନିର୍ମାଣ ଶେଷ ପରେ ଏବେ ସେଠାରେ ପ୍ରଶାସନିକ ଭବନ ଓ ରୁସା କାର୍ଯ୍ୟାଳୟ ଚାଲିଛି । ଅର୍ଥାତ ଯେଉଁ ଉଦ୍ଦେଶ୍ୟରେ ଏତେ ଟଙ୍କା ଖର୍ଚ୍ଚ ହେଲା, ତାହା ପୂରଣ ହୋଇପାରିଲା ନାହିଁ । ୨୦୨୧ ଅପ୍ରେଲରୁ ଜୁଲାଇ ମାସ ଭିତରେ କିଣାଯାଇଥିବା ଏହି କମ୍ପ୍ୟୁଟରଗୁଡିକ ଆଇସିଟି ଲ୍ୟାବ୍‌ ବଦଳରେ ବିଭିନ୍ନ ବିଭାଗରେ ବାଣ୍ଟି ଦିଆଗଲା । ବିଶ୍ୱବିଦ୍ୟାଳୟ ଷ୍ଟୋରରେ ୧୬ଟି ଲାପଟପ୍‌ ଏବେ ବି ପଡ଼ି ରହିଛି । ଦୁଇଟି ଲାପଟପ୍‌ କିଏ ନେଇଗଲା ତାହାର ସନ୍ଧାନ ମିଳୁନି । ବିଶ୍ୱବିଦ୍ୟାଳୟ ଶିକ୍ଷାରେ ଗୁଣବତ୍ତା ଓ ଉତ୍କର୍ଷ ପାଇଁ ୩୯ କୋଟି ୬୬ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ସେଥିରୁ କୁଳପତିଙ୍କ ସରକାରୀ ବାସଭବନରେ ସୋଫା, ଖଟ ଓ ଆସବାବପତ୍ର ପାଇଁ ୬.୪୮ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ଉତ୍କଳ ବିଶ୍ୱବିଦ୍ୟାଳୟ ଗ୍ରାମୀଣ କ୍ୟାମ୍ପସ ଚଣ୍ଡୀଖୋଲରେ ଏକ ପ୍ରଯୁକ୍ତି ବିଦ୍ୟା ପାର୍କ ପାଇଁ ୫ କୋଟି ୭୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । କୋଠା ନିର୍ମାଣ ସରିଗଲା । କିନ୍ତୁ ଆଜି ପର୍ଯ୍ୟନ୍ତ ଏହି କୋଠାକୁ ବିଦ୍ୟୁତ୍‌ ସଂଯୋଗ ହୋଇପାରିଲା ନାହିଁ । ବିଦ୍ୟୁତ୍‌ ଟ୍ରାନସଫର୍ମର ସ୍ଥାପନ ହେଉନି କି ଏହି କୋଠା କୌଣସି କାର୍ଯ୍ୟରେ ଆସୁନି ବୋଲି ରିପୋର୍ଟରେ ଦର୍ଶାଯାଇଛି । କଳାହାଣ୍ଡି, କୋରାପୁଟ, ବଲାଙ୍ଗୀର, ଗଜପତି, କନ୍ଧମାଳ ଓ ଢେଙ୍କାନାଳ ଜିଲ୍ଲାରେ ଏହି ୬ କଲେଜ ନିମନ୍ତେ ୩୨ କୋଟି ଟଙ୍କା ଖର୍ଚ୍ଚରେ କୋଠା ନିର୍ମାଣ ହେଲା । ସେଥିରୁ ୫ଟି କୋଠାକୁ ଉଚ୍ଚ ଶିକ୍ଷା ବିଭାଗ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗକୁ ହସ୍ତାନ୍ତର କରିଦେଇଛି । କୁହାଗଲା ଏଠାରେ ଡିଗ୍ରୀ କଲେଜ ପ୍ରତିଷ୍ଠା ସମ୍ଭବ ନୁହେଁ । ଆଉ କୋରାପୁଟ ଜିଲ୍ଲା ସେମିଳିଗୁଡାରେ ଗୋଟିଏ କୋଠା ଭାଙ୍ଗି ଦିଆଗଲା । ଏହି ଜମିକୁ ଜାତୀୟ ରାଜପଥ ବିଭାଗ ଅକ୍ତିଆର କଲା । ଆଉ ରାଜ୍ୟରେ ୬ଟି ମଡେଲ ଡିଗ୍ରୀ କଲେଜ ଖୋଲିବା ସ୍ୱପ୍ନରେ ରହିଗଲା

 

SBI_Festive_Digital Billboard