ଭୁବନେଶ୍ଵର,୩୧/୩ : ଇମ୍ଫା ଗ୍ରୁପ୍ ଦ୍ଵାରା ପରିଚାଳିତ ‘ଇଣ୍ଡିଆନ ମେଟାଲ୍ସ ପବ୍ଲିକ ଚାରିଟେବଲ୍ ଟ୍ରଷ୍ଟ’(IMPaCT) ତରଫରୁ ‘ଏକଲବ୍ୟ ପୁରସ୍କାର ୨୦୨୩’ ନିମନ୍ତେ ନାମାଙ୍କନ ପତ୍ର ଆହ୍ଵାନ କରାଯାଇଛି। ଆବେଦନ କରିବାର ଶେଷ ତାରିଖ ୨୦୨୩ ମେ ୩୧ ସୁଦ୍ଧା ରହିଛି।
‘ଏକଲବ୍ୟ ପୁରସ୍କାର’ ହେଉଛି ଓଡିଶାର ଶ୍ରେଷ୍ଠ ଯୁବ କ୍ରୀଡାବିତଙ୍କ ପାଇଁ ଉଦ୍ଦିଷ୍ଟ। ଏହାର ନଗଦ ରାଶି ପରିମାଣ ପାଞ୍ଚ ଲକ୍ଷ ଟଙ୍କା ରହିଛି। ମୁଖ୍ୟ ପୁରସ୍କାର ବ୍ୟତୀତ ଦୁଇଟି ଦୃଷ୍ଟାନ୍ତମୂଳକ ପୁରସ୍କାର ପ୍ରଦାନ କରାଯାଏ, ଯାହାର ପୁରସ୍କାର ରାଶି ୫୦ ହଜାର ଟଙ୍କା ଲେଖାଏଁ ରହିଛି। ଆଗ୍ରହୀ ପ୍ରାର୍ଥୀମାନେ ଓଡ଼ିଶା ସ୍ଥିତ କୌଣସି କ୍ରୀଡା ସଂଗଠନ/ବୋର୍ଡ/ସଂଘ, ବିଶ୍ଵ ବିଦ୍ୟାଳୟ, ମହା ବିଦ୍ୟାଳୟ ଏବଂ ବିଦ୍ୟାଳୟ ମାଧ୍ୟମରେ ସେମାନଙ୍କ ନାମାଙ୍କନ ପତ୍ର ପଠାଇ ପାରିବେ। ପ୍ରାର୍ଥୀମାନଙ୍କ ବୟସ ୨୦୨୩ ମାର୍ଚ୍ଚ ସୁଦ୍ଧା ୨୫ ବର୍ଷରୁ ଅଧିକ ହୋଇନଥିବା ଆବଶ୍ୟକ।
ପ୍ରାର୍ଥୀମାନେ ନିଜର ବୟସ ପ୍ରମାଣପତ୍ର ସହିତ ଦୁଇ ବର୍ଷ(୨୦୨୧ ଏପ୍ରିଲ ୧ରୁ ୨୦୨୩ ମାର୍ଚ୍ଚ ୩୧) ମଧ୍ୟରେ ରାଜ୍ୟସ୍ତରୀୟ, ଜାତୀୟ ଏବଂ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ହାସଲ କରିଥିବା ବିଭିନ୍ନ କୃତିତ୍ଵର ପ୍ରମାଣପତ୍ର ସହିତ ଦରଖାସ୍ତ ଦାଖଲ କରିବା ଆବଶ୍ୟକ।
ପ୍ରାର୍ଥୀମାନେ ନିଜର ନାମାଙ୍କନ ପତ୍ର ekalabya@imfa.inକୁ ଇ-ମେଲ କରି ପାରିବେ। ଏଥିସହ ସହାୟକ କାଗଜପତ୍ର ଗୁଡିକୁ ୨୦୨୩ ମେ ୩୧ ସୁଦ୍ଧା ‘ଏକଲବ୍ୟ ପୁରସ୍କାର, ଇମ୍ପାକ୍ଟ, ଇମ୍ଫା ବିଲ୍ଡିଂ, ଭୁବନେଶ୍ଵର-୭୫୧୦୧୦’ ଠିକଣାରେ ବି ପଠାଇ ପାରିବେ।
