ଧାମନଗର : ଧାମନଗର ବିଧାନସଭା ଉପନିର୍ବାଚନ ପାଇଁ ସୋମବାର ସନ୍ଧ୍ୟାରେ ପ୍ରଚାର କାର୍ଯ୍ୟ ଶେଷ ହୋଇଛି । ପ୍ରଚାରର ଶେଷ ଦିନରେ ପ୍ରାର୍ଥୀମାନେ ହାଇଭୋଲଟେଜ୍ ପ୍ରଚାର କରିଥିବା ଦେଖିବାକୁ ମିଳିଥିଲା । ସତେ ଯେପରି ଧାମନଗର ଉଠୁଥିଲା ପଡୁଥିଲା । ବହୁ ହେଭିୱେଟ୍ ଦଳୀୟ ପ୍ରାର୍ଥୀଙ୍କ ସହ ପ୍ରଚାରରେ ମାତିଥିବା ଦେଖିବାକୁ ମିଳିଥିଲା । ପ୍ରଚାରର ଏହି ଶେଷ ଦିନରେ ସବୁ ଦଳର ପ୍ରାର୍ଥୀ ଓ ସ୍ୱାଧୀନ ପ୍ରାର୍ଥୀ ଭୋଟରଙ୍କୁ ମନାଇବା ଲାଗି ଲାଗିପଡ଼ିଥିଲେ । ପ୍ରଚାରର ଶେଷ ଦିନରେ ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କ ପକ୍ଷରୁ ପ୍ରଚାରକୁ ଜୋରଦାର୍ କରାଯାଇଥିବା ଦେଖିବାକୁ ମିଳିଥିଲା ।
ବିଜେପି ବିଧାୟକ ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କ ପାଇଁ ଦଳର ବିଧାୟକ ଓ କର୍ମୀ ପ୍ରଚାର କରିଥିବାବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ମୈଦାନରେ ପ୍ରଚାର କରୁଥିବା ଦେଖିବାକୁ ମିଳିଥିଲା । ସେହିପରି କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀଙ୍କ ପାଇଁ ପିସିସି ସଭାପତି ଶରଦ ପଟ୍ଟନାୟକ, ବିଧାୟକ ସୁରେଶ କୁମାର ରାଉତରାୟ, ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ସହ ଅନେକ ଦଳୀୟ ନେତା ପ୍ରଚାର ମୈଦାନରେ ଉପସ୍ଥିତ ରହି ଦଳୀୟ ପ୍ରାର୍ଥୀଙ୍କୁ ଭୋଟ୍ ଦେବାକୁ ନିବେଦନ କରିଥିଲେ । ଏପରିକି ସେମାନେ ଘରକୁ ଘର ବୁଲି ଭୋଟରଙ୍କ ମନାଉଥିବା ଦେଖିବାକୁ ମିଳିଥିଲା ।
ଅନୁରୂପ ଭାବେ ବିଜେଡ଼ି ପ୍ରାର୍ଥୀ ଅବନ୍ତୀ ଦାସଙ୍କ ପାଇଁ ଦଳୀୟ ବିଧାୟକ ଓ ନେତାଙ୍କ ସହ ସାମିଲ ହୋଇ ପ୍ରଚାର କରିଥିଲେ ଚଳଚ୍ଚିତ୍ର ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ସେହିପରି ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ବିଭିନ୍ନ ସ୍ଥାନରେ ପହଞ୍ôଚ ଭୋଟରଙ୍କୁ ମନାଇବା ସହ ତାଙ୍କୁ ଭୋଟ୍ ଦେବା ପାଇଁ ନିବେଦନ କରୁଥିବା ଦେଖିବାକୁ ମିଳିଥିଲା । ଏଥିପୂର୍ବରୁ ବହୁ ହେଭିୱେଟ୍ ପ୍ରଚାର ମୈଦାନରେ ଉପସ୍ଥିତ ରହି ଦଳୀୟ ପ୍ରାର୍ଥୀଙ୍କୁ ପାଇଁ ପ୍ରଚାର କରିଥିବାବେଳେ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚ୍ଚୁଆଲ୍ ମାଧ୍ୟମରେ ଅବନ୍ତୀ ଦାସଙ୍କ ପାଇଁ ପ୍ରଚାର କରିଥିଲେ । ଏପରିକି ଧାମନଗରର ଦାୟିତ୍ୱ ତାଙ୍କର ବୋଲି କହିଥିଲେ । ୫ ବର୍ଷର କାମ ୧୮ ମାସ ମଧ୍ୟରେ ଶେଷ ହେବ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ ।
ତେବେ ପ୍ରଚାର ଶେଷ ପରେ ସନ୍ଧ୍ୟାରେ ସବୁ ଦଳର ପ୍ରାର୍ଥୀମାନେ ଅନ୍ଧାରିବିଜେ କରି ଭୋଟରଙ୍କୁ ହାତେଇବା ପାଇଁ ପ୍ରୟାସ କରୁଥିବା ଦେଖିବାକୁ ମିଳିଥିଲା । ସୂଚନାଯୋଗ୍ୟ ଯେ, ଆସନ୍ତା ୩ ତାରିଖରେ ଧାମନଗର ଉପନିର୍ବାଚନ ପାଇଁ ଭୋଟ୍ଗ୍ରହଣ ଅନୁଷ୍ଠିତ ହେବ । ୬ ତାରିଖରେ ଭୋଟ୍ଗଣତି କରାଯାଇ ଫଳାଫଳ ପ୍ରକାଶ କରାଯିବ । ତେବେ ଏହି ନିର୍ବାଚନରେ ସବୁ ଦଳର ପ୍ରାର୍ଥୀ ବିଜୟହାସଲ କରିବେ ବୋଲି ଦୃଢ଼ୋକ୍ତି ବାଢୁଥିବାବେଳେ ପ୍ରକୃତରେ ହାତୀ କାହା ମୁଣ୍ଡରେ କଳସ ଢାଳିବ ତାହା ଗଣତି ପରେ ସ୍ପଷ୍ଟ ହେବ ।
