ଭୁବନେଶ୍ୱର,୧୯/୯: ନିକଟରେ ପ୍ରକାଶିତ ହୋଇଥିବା ସର୍ବ ଭାରତୀୟ ଚାଟାର୍ଡ ଆକାଉଟାଣ୍ଟ ପରୀକ୍ଷାରେ ସଫଳତାର ସହିତ କୃତକାର୍ଯ୍ୟ ହୋଇଥିବା କ୍ୟାନ୍ସର ବିଜୟିନୀ ଅଭିଲିପ୍ସା ମିଶ୍ରଙ୍କୁ ସୁପର ୭୫ ଗ୍ରୁପ ପକ୍ଷରୁ ଇତିମଧ୍ୟରେ ସମ୍ବର୍ଦ୍ଧିତ କରାଯାଇଛି । ପ୍ରକାଶ ଯୋଗ୍ୟଯେ ଅଭିଲିପ୍ସା ବର୍ଷେ ତଳେ କ୍ୟାନ୍ସରରେ ପୀଡ଼ିତ ହୋଇଥିଲେ ହେଁ ଏଭଳି ଏକ କଠିନ ପରିସ୍ଥିତିର ସମ୍ମୁଖୀନ ହୋଇ ମଧ୍ୟ ଉକ୍ତ ପରୀକ୍ଷାରେ କୃତକାର୍ଯ୍ୟ ହେବାପାଇଁ ନିରବଛିର୍ନ୍ନ ଭାବେ ପ୍ରସ୍ତୁତି ଚଳାଇ ଥିଲେ । ଏଥିରେ ନିଜେ ଭାଙ୍ଗି ନଯାଇ ଦୃଢ଼ ମନୋବଳ ସହକାରେ ସେ ଚିକତ୍ସା ଧୀନ ଅବସ୍ଥାରେ ମଧ୍ୟ ଏଥିପାଇଁ କଠିନ ପରିଶ୍ରମ କରିଥିଲେ । ତେବେ ପରବର୍ତ୍ତୀ ସମୟରେ ସେ କ୍ୟାନ୍ସରରୁ ଆରୋଗ୍ୟ ଲାଭ କରି ବିଜୟିନୀ ହେବା ସହ ଉକ୍ତ ପରୀକ୍ଷାରେ କୃତ୍ତିତ୍ୱ ହାସଲ କରିବାରେ ସକ୍ଷମ ହୋଇପାରିଥିଲେ।
ଉଲ୍ଲେଖଯୋଗ୍ୟ ଯେ ସେ ପ୍ରଥମ ଥର ପାଇଁ ପରୀକ୍ଷାର୍ଥୀ ଭାବେ ଏହି ପରୀକ୍ଷା ଦେଇ ଗୋଟିଏ ଥରରେ ଉତ୍ତୀର୍ଣ୍ଣ ହେବାର ଯୋଗ୍ୟତା ହାସଲ କରିଛନ୍ତି । ସ୍ଥାନୀୟ ଅଶୋକ ନଗର ସ୍ଥିତ ରାଜଧାନୀର ବହୁପୁରାତନ ଓ ପ୍ରତିଷ୍ଠିତ ବ୍ୟବସାୟ ପ୍ରତିଷ୍ଠାନ ନାରାୟଣ ଆୟୁର୍ବେଦ ଭବନର ପ୍ରୋପ୍ରାଇଟର ଅରୁଣ ମିଶ୍ର ଓ ଅର୍ଚ୍ଚନା ମିଶ୍ରଙ୍କ ସୁକନ୍ୟା ଅଭିଲିପ୍ସାଙ୍କର ଏପରି ବିରଳ ସଫଳତା ପାଇଁ ତାଙ୍କର ପରିବାରବର୍ଗ,ବନ୍ଧୁପରିଜନ ଓ ହିତେୟୀଷିଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଏହି ଅବସରରେ ସ୍ଥାନୀୟ ଅଗ୍ରଣୀ ସାମାଜିକ ସଂଗଠନ ସୁପର `୭୫´ ଗ୍ରୁପର ସକ୍ରିୟ କାର୍ଯ୍ୟକର୍ତ୍ତା ମାନେ ଅଭିଲିପ୍ସାଙ୍କୁ ତାଙ୍କ ବାସଭବନରେ ପୁଷ୍ପଗୁଚ୍ଛ ଓ ମିଷ୍ଟାର୍ନ୍ନ ପ୍ରଦାନକରି ଶୁଭେଚ୍ଛା ଜଣାଇଥିଲେ । ଗ୍ରୁପ ପକ୍ଷରୁ ସର୍ବଶ୍ରୀ ଶିବବ୍ରତ ଘୋଷ,ବିରଞ୍ଚି ନାରାୟଣ ମହାନ୍ତି,ପ୍ରବୋଧ କୁମାର ଦାସ,ଦୁର୍ଗାପ୍ରସାଦ ସାମନ୍ତରାୟ,ପ୍ରଭୁରାଜ ପାତ୍ର ଓ ବିଭୁଦତ୍ତ ପଣ୍ଡା ପ୍ରମୁଖ ଏହି ଅବସରରେ ସୁଶ୍ରୀ ଅଭିଲିପ୍ସାଙ୍କ ଭବିଷ୍ୟତର ଉଜ୍ବଳ କାମନା କରିଥିଲେ ।