BSNLକୁ କରୋନା ଡର : କ୍ୟାପିଟାଲ ହସ୍ପିଟାଲରେ ଟେଲିଫୋନ ସେବା ଉଦବେଗଜନକ

ଭୁବନେଶ୍ୱର,୨୬ /୯- (ପ୍ରଦୀପ୍ତ କୁମାର ଦାସ) : ରାଜଧାନୀରେ ମହାମାରୀ କରୋନାର ପ୍ରକୋପ ଏକପ୍ରକାର ଅସମ୍ଭାଳ ସ୍ଥିତିସୃଷ୍ଟି କରିବାକୁ ବସିଲାଣି । ସାଧାରଣରେ ଏନେଇ ଏବେ ଗଭୀର ଚିନ୍ତାପ୍ରକଟ କରାଯାଇଛି, ତେବେ ଏହାର ମୁକାବିଲା କ୍ଷେତ୍ରରେ ଅଗ୍ରଣୀ ଭୂମିକା ବହନ କରୁଥିବା କ୍ୟାପିଟାଲ ହସ୍ପିଟାଲରେ ଗତ କିଛି ମାସ ହେଲା ଟେଲିଫୋନ ଓ ଇଣ୍ଟେର୍ନେଟସେବା ବିପର୍ଯ୍ୟସ୍ତ ହେବା ଘଟଣା ସାଧାରଣରେ ବେଶ ଆଲୋଡନ ସୃଷ୍ଟି କରିଛି । ଏସଂକ୍ରାନ୍ତରେ ଗତ ଦୁଇମାସ ତଳେ କ୍ୟାପିଟାଲ ହସ୍ପିଟାଲ ନିର୍ଦେଶକ ଚିଠି ଜରିଆରେ ଡାକ୍ତରଖାନାର ସ୍ୱାସ୍ଥ୍ୟ ସେବାରେ ବ୍ୟବହୃତ ଷୋହଳଟି ବିଏସଏନଏଲ ଲ୍ୟାଣ୍ଡଲାଇନ ଟେଲିଫୋନ ନମ୍ବରର ତାଲିକା ସହ ଆନୁସଙ୍ଗିକ ଇଣ୍ଟେର୍ନେଟ ବ୍ରଡ଼ବ୍ୟାଣ୍ଡ ସେବା ବ୍ୟବସ୍ଥା ବାଧାପ୍ରାପ୍ତ ହେବା ସମ୍ପର୍କରେ ବିଏସଏନଏଲ ଏଜିଏମ(ସିଟି) ଓ ସମ୍ପୃକ୍ତ ଅଂଚଳର ଏସଡିଓଙ୍କ ସମେତ କନିଷ୍ଠ ଯନ୍ତ୍ରୀଙ୍କୁ ତୁରନ୍ତ ଏହାର ମରାମତି କରି କାର୍ଯ୍ୟକ୍ଷମ କରିବାକୁ ଆପତ୍ତି ଜଣାଇଥିଲେ । ମାତ୍ର ଏହାର ମରାମତି ପାଇଁ ହସ୍ପିଟାଲ ଭିତରକୁ ଗଲେ କାଳେ କରୋନା ସଂକ୍ରମଣ ହେବ ଏହି ଭୟରେ ବିଏସଏନଏଲର କ୍ଷେତ୍ର କର୍ମଚାରୀମାନେ ପଛଘୁଞ୍ଚା ଦେଲେ, ତଥାପି ପରେ ଡାକ୍ତରଖାନା କର୍ତୃପକ୍ଷଙ୍କ ଆପତ୍ତି ଓ ସହଯୋଗକ୍ରମେ ପିପିଇ କିଟପିନ୍ଧି କେତେକ ବିଏସଏନଏଲ କର୍ମଚାରୀ ହସ୍ପିଟାଲ ପରିସରକୁ ଯାଇ କିଛି ଟେଲିଫୋନ ସଂଯୋଗର ମରାମତି କରିଥିଲେ ବୋଲି ବିଭାଗୀୟ ଏସଡିଓ ପ୍ରଫୁଲ୍ଲ ଜେନା କହିଛନ୍ତି । ହେଲେ ସାମୟିକ ଭାବେ ଏଥିରେ କିଛିଟା ଉନ୍ନତି ହୋଇଥିଲେ ହେଁ ଅଧିକାଂଶ ଟେଲିଫୋନ ନମ୍ବର ଦୀର୍ଘଦିନ ହେଲା କାର୍ଯ୍ୟକ୍ଷମ ହୋଇନଥିବା କହିଥିଲେ ହସ୍ପିଟାଲ କର୍ତ୍ତୃପକ୍ଷ ।

ଅନ୍ୟ ପକ୍ଷରେ ଶୁକ୍ରବାର ସନ୍ଧ୍ୟାସୁଦ୍ଧା ଦୁଇଟି ଫୋନନମ୍ବର ସଂଯୋଗ ବ୍ୟତୀତ ବାକି ଅନ୍ୟ ସଂଯୋଗ ଗୁଡିକ କାର୍ଯ୍ୟକ୍ଷମ ହୋଇଛି ବୋଲି ଏହି ପ୍ରତିନିଧିଙ୍କୁ ବିଏସଏନଏଲ ଏସଡିଓ ଶ୍ରୀ ଜେନା କହିଥିଲେ । ଏହିକ୍ରମରେ ଡାକ୍ତରଖାନା କର୍ତୃପକ୍ଷ ଓ ଟେଲିଫୋନ ବିଭାଗ ଅଧିକାରୀଙ୍କ ସଫେଇରେ ତାଳମେଳ ରହୁନଥିବାରୁ ଏହି ପ୍ରସଙ୍ଗ ଏବେ ଅସ୍ପଷ୍ଟ ଓ ପ୍ରଶ୍ନ ଘେରକୁ ଆସିଛି । ରାଜ୍ୟର ମୁଖଶାଳା କୁହାଯାଉଥିବା ଏହି ସ୍ମାର୍ଟ ସହରର ମୁଖ୍ୟ ଡାକ୍ତରଖାନାରେ ରୋଗୀ ସେବା କ୍ଷେତ୍ରରେ ଗୁରୁତ୍ୱପୂର୍ଣ ଯୋଗାଯୋଗ ବ୍ୟବସ୍ଥା ଅନ୍ତର୍ଭୁକ୍ତ ଏହି ଟେଲିଫୋନ ସଂଯୋଗ ଗୁଡିକ ମଧ୍ୟରେ ଇଂଟରକମ, କାଜୁଆଲିଟି,ଲେବରରୁମ,ଟେଲିମେଡୀସିନ, କ୍ୟାନ୍ସର ୱାର୍ଡ,ସଖି,ହସ୍ପିଟାଲ ପ୍ରଶାସନ ଓ ଅନ୍ୟ ବହୁ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ବିଭାଗର ଫୋନନମ୍ବର ରହିଛି । ତେବେ ଏଭଳି ସ୍ଥିତିରେ ଗୋଟିଏ ପଟେ କରୋନା ମହାମାରୀ ଯୋଗୁଁ ରାଜଧାନୀବାସୀ ବେଶ ସନ୍ତୁଳିତ ହେଉଥିବାବେଳେ କ୍ୟାପିଟାଲ ହସ୍ପିଟାଲର ରୋଗୀସେବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଯୋଗାଯୋଗ ଭୂମିକା ତୁଲାଇ ଆସୁଥିବା ଟେଲିଫୋନ ଓ ଇଣ୍ଟେର୍ନେଟ ବ୍ୟବସ୍ଥାରେ ଏଭଳି ବ୍ୟତିକ୍ରମକୁ ନେଇ ସହରର ସଚେତନ ନାଗରିକ ମହଲରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି ।