କ୍ୟାପଟେନ୍ ଅମରିନ୍ଦର ସିଂହଙ୍କ ପାର୍ଟିକୁ ମିଳିଲା ‘ହକି ଷ୍ଟିକ୍’ ନିର୍ବାଚନୀ ଚିହ୍ନ

ଚଣ୍ଡିଗଡ,୧୦/୧: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହଙ୍କ ‘ପଞ୍ଜାବ ଲୋକ କଂଗ୍ରେସ ପାର୍ଟି’କୁ ମିଳିଲା ନିର୍ବାଚନୀ ଚିହ୍ନ । ନିର୍ବାଚନ ଆୟୋଗ ତାଙ୍କ ପାର୍ଟିକୁ ହକି ଷ୍ଟିକ୍ ଏବଂ ବଲ୍‌ର ନିର୍ବାଚନୀ ଚିହ୍ନ ପ୍ରଦାନ କରିଛନ୍ତି। ୧୧୭ ବିଧାନସଭା ଆସନ ବିଶିଷ୍ଟ ପଞ୍ଜାବରେ ସମସ୍ତ ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ମତଦାନ ଫେବୃଆରୀ ୧୪ରେ ହେବାକୁ ଯାଉଛି।

ନିର୍ବାଚନୀ ଚିହ୍ନ ଭାବେ ହକି  ଷ୍ଟିକ ଏବଂ ବଲ୍‌ ମିଳିବା ପରେ ପଞ୍ଜାବ ଲୋକ କଂଗ୍ରେସ ଟ୍ଵିଟ୍ କରି କହିଛି, ଆପଣଙ୍କୁ ଏହା ଜଣାଇବାରେ ଖୁସି ଲାଗୁଛି ଯେ, ପଞ୍ଜାବ ଲୋକ କଂଗ୍ରେସକୁ ନିଜର ଚିହ୍ନ ହକି  ଷ୍ଟିକ୍ ଏବଂ ବଲ୍ ମିଳି ଯାଇଛି। ଏବେ କେବଳ ଗୋଲ୍ କରିବା ବାକି ରହିଛି।

ନବଜୋତ ସିଂହ ସିଦ୍ଧୁଙ୍କ ସହ ଦୀର୍ଘ ଦିନ ଧରି ମତାନ୍ତର ଏବଂ ମତଭେଦ ପରେ ଗତ ବର୍ଷ କ୍ୟାପଟେନ୍ ଅମରିନ୍ଦର ସିଂହ ପଞ୍ଜାବ ଲୋକ କଂଗ୍ରେସ ପାର୍ଟି ଭାବେ ନୂତନ ଦଳ ଗଠନ କରିନ୍ତି।  ଏଥିରେ ଅନେକ ପୂର୍ବତନ କଂଗ୍ରେସ ନେତା ଯୋଗ ଦେଇଛନ୍ତି। ଅମରିନ୍ଦରଙ୍କ ଦଳ ବିଜେପି ସହ ମେଣ୍ଟ କରି ୨୦୨୨ ବିଧାନସଭା ନିର୍ବାଚନ ଲଢିବାକୁ ଯାଉଛି।