SI ପରୀକ୍ଷା କେଳେଙ୍କାରୀ : ସିବିଆଇ ତଦନ୍ତ ପାଇଁ ବିଜ୍ଞପ୍ତି ଜାରି

ମୁଖ୍ୟମନ୍ତ୍ରୀଙ୍କ ସୁପାରିସକୁ କେନ୍ଦ୍ର ଅନୁମୋଦନ

ଭୁବନେଶ୍ବର,୧୧/୧୧ : ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡ(ଓପିଆର୍‌ବି) ଦ୍ବାରା ପରିଚାଳିତ ଏସ୍‌ଆଇ ପରୀକ୍ଷା କେଳେଙ୍କାରୀ ମାମଲାରେ ରାଜ୍ୟ ସରକାରଙ୍କ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ କରୁଛି। ଆଗାମୀ ଦିନରେ ଏହି ମାମଲାର ତଦନ୍ତ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଯାଞ୍ଚ କରିବ। କେନ୍ଦ୍ର ସରକାରଙ୍କ ତରଫରୁ ଏନେଇ ବିଜ୍ଞପ୍ତି ଜାରି ହୋଇଛି। ସିବିଆଇ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତମାସ ୨୨ ତାରିଖରେ ସୁପାରିସ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସୁପାରିସକୁ କେନ୍ଦ୍ର ଅନୁମୋଦନ କରିଛି। ସିବିଆଇ ପକ୍ଷରୁ ତଦନ୍ତ ହେଲେ ଆହୁରି ବଡ଼ ଖୁଲାସା ହେବ ବୋଲି ଆଶା କରାଯାଉଛି।

ଆଗକୁ ଯେପରି ଏହିଭଳି ଘଟଣା ନ ଘଟିବ ସେଥିପାଇଁ ପୁଲିସ ଏବଂ ଅନ୍ୟାନ୍ୟ ପୋଷାକଧାରୀ ସେବାରେ କର୍ମଚାରୀ ଚୟନ ପାଇଁ ଏକ ସ୍ଥାୟୀ ଆୟୋଗ ପ୍ରତିଷ୍ଠା କରିବାକୁ ରାଜ୍ୟ ସରକାର ବିଚାର କରୁଛନ୍ତି। ଗତ ୮ମାସ ମଧ୍ୟରେ ଏହି ଏସ୍‌ଆଇ ନିଯୁକ୍ତି ପରୀକ୍ଷା ଦୁଇ ଥର ବାତିଲ୍ ହୋଇଥିବାବେଳେ ଏହି ଘଟଣାରେ ଏବେ ସୁଦ୍ଧା ୧୧୪ ଜଣ ଆଶାୟୀ ପରୀକ୍ଷାର୍ଥୀ ଏବଂ ଅନ୍ୟ ୩ଜଣ ଦଲାଲଙ୍କୁ ମିଶାଇ ମୋଟ ୧୧୭ଜଣ ଗିରଫ ହୋଇଛନ୍ତି। ସଂପୂର୍ଣ୍ଣ ବ୍ୟବସ୍ଥିତ ଢଙ୍ଗରେ ଏହି ରୢାକେଟ୍ କାର୍ଯ୍ୟ କରୁଥିବା କ୍ରାଇମବ୍ରାଞ୍ଚ ତଦନ୍ତରୁ ଜଣାପଡ଼ିଛି। ଆଶାୟୀ ପରୀକ୍ଷାର୍ଥୀଙ୍କୁ ସ୍ବତନ୍ତ୍ର ବସ୍‌ରେ ଭୁବନେଶ୍ବରରୁ ଆନ୍ଧ୍ରପ୍ରଦେଶର ବିଜୟନଗରମ୍ ନେବାବେଳେ ପୁଲିସ ୧୧୭ଜଣଙ୍କୁ ଗିରଫ କରିଥିଲା। ଆଶାୟୀମାନେ ବିଜୟନଗରମ୍‌ରେ ପ୍ରସ୍ତୁତି ସାରି ପଶ୍ଚିମବଙ୍ଗର ଦୀଘା ଯାଇଥା’ନ୍ତେ। ଏହି ସମୟରେ ଆଉ ଏକ ଗ୍ରୁପ୍‌ରେ ୧୧୦ ଜଣ ଆଶାୟୀ ଦୀଘା ଯାଉଥିବାବେଳେ ନିଯୁକ୍ତି ରୢାକେଟ୍‌କୁ ପୁଲିସ ଧରିଥିବା ଜାଣି ସମସ୍ତେ ଫେରାର୍ ହୋଇ ଯାଇଥିଲେ।

ପୁଲିସ ଏସ୍‌ଆଇ ନିଯୁକ୍ତି ଦେବା ପାଇଁ ଆଶାୟୀଙ୍କଠାରୁ ୨୦ରୁ ୨୫ ଲକ୍ଷ ଟଙ୍କା ଆଦାୟ କରିବାକୁ ଡିଲ୍ ହୋଇଥିଲେ ହେଁ ବର୍ତ୍ତମାନ ସୁଦ୍ଧା କେତେ ଟଙ୍କା ଆଦାୟ ହୋଇଛି, ଟଙ୍କା କାହା ପାଖକୁ ଯାଇଛି, ପ୍ରଶ୍ନପତ୍ର କିଏ ଆଗୁଅା ଦେଇଥା’ନ୍ତା, ଲିଖିତ ପରୀକ୍ଷା ପାସ୍‌ କଲେ ବି ଶାରୀରିକ ପରୀକ୍ଷା, ମୌଖିକ ପରୀକ୍ଷାରେ କେମିତି ଅଧିକ ମାର୍କ ଦିଆଯାଇଥାନ୍ତା ତାହା ବି ତଦନ୍ତରୁ ଜଣାପଡ଼ିନି। ଯାହା ସିିବିଆଇ ତଦନ୍ତରେ ପର୍ଦ୍ଦାଫାସ ହୋଇପାରେ ବୋଲି କୁହାଯାଉଛି। କେବଳ ଏତିକି ନୁହେଁ, ପୁଲିସ ଏସ୍‌ଆଇ ନିଯୁକ୍ତି କେଳେଙ୍କାରୀକୁ ନେଇ ବିରୋଧୀ ବିଜେଡି ଓ କଂଗ୍ରେସ ରାଜ୍ୟ ସରକାରଙ୍କୁ ଘେରୁଥିବାବେଳେ ଶାସକ ଦଳ ଅଭିଯୋଗ କରୁଛି ଯେ ଏହି ରୢାକେଟ୍ ପଛରେ ବିଜେଡିର କିଛି ବରିଷ୍ଠ ନେତାଙ୍କ ହାତ ଅଛି। ଏହି ଘଟଣାରେ କ୍ରାଇମବ୍ରାଞ୍ଚ ବଣିକ ଇନ୍‌ଷ୍ଟିଚ୍ୟୁଟ୍‌ରେ ଚଢ଼ଉ କରିଥିଲା। ବଣିକ ଇନ୍‌ଷ୍ଟିଚ୍ୟୁଟ୍‌ ମାଲିକଙ୍କର ବିଜେଡିର କୋର୍‌ ଗ୍ରୁପ୍ ସହିତ ଘନିଷ୍ଠ ସମ୍ପର୍କ ରହିଛି। ତେଣୁ ସିବିଆଇ ତଦନ୍ତ କଲେ ‌ଏହି ରୢାକେଟ୍‌ରେ ଓଡ଼ିଶାର ଯେଉଁମାନେ ସଂପୃକ୍ତ ଅଛନ୍ତି, ବାହାର ରାଜ୍ୟରେ ସେମାନଙ୍କୁ କିଏ ସହଯୋଗ କରୁଥିଲେ, ବାହାର ରାଜ୍ୟର ଆଉ କେଉଁ ସରକାରୀ ନିଯୁକ୍ତିରେ ଏହି ରୢାକେଟ୍‌ର ସଂପୃକ୍ତି ଅଛି ତାହାର ଉନ୍ମୋଚନ ହୋଇପାରେ ବୋଲି ଚର୍ଚ୍ଚା ଚାଲିଛି।