ଭୁବନେଶ୍ୱର, ୦୮/୦୮ : ଭୁବନେଶ୍ୱର ଏମ୍ସ ରେ ସିବିଆଇ ଟିମ୍ ଚଢ଼ଉ କରିଛି । ଚାକିରି ଜାଲିଆତି ମାମଲାରେ ଏହି ଚଢ଼ଉ କରାଯାଉଥିବା ଜଣାପଡ଼ିଛି । ନିଯୁକ୍ତି ଜାଲିଆତି ମାମଲାରେ ଭୁବନେଶ୍ୱର ଏମ୍ସର ଏକାଡେମିକ୍ ବ୍ଲକ୍, ଯାହାଙ୍କ ନାଁରେ ମାମଲାରେ ରହିଛି ତାଙ୍କର ବିଏମସି କାର୍ଯ୍ୟାଳୟ ନିକଟରେ ଥିବା ହାରମୋନି ଭିଲ୍ଲା ଏବଂ ଜଗତସିଂହପୁରରେ ପୈତୃକ ଘରେ ରେଡ୍ କରାଯାଉଛି । ଏମ୍ସରୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମଧ୍ୟ ଯାଞ୍ଚ କରାଯାଉଛି । ଏଥିରେ ଆର୍ଥିକ କାରବାରର ମଧ୍ୟ ଗନ୍ଧ ବାରି ହୋଇଛି । ଏହି ମାମଲାରେ ସମ୍ପୃକ୍ତ ଥିବା ଜଣେ ବ୍ୟକ୍ତିଙ୍କୁ ସିବିଆଇ ଅଟକ ରଖିଥିବା ଜଣାପଡ଼ିଛି । ୨୦୨୩, ଜୁଲାଇ ୧ରେ ଏମ୍ସରେ ଖାଲି ଥିବା ୭୦୦ ପଦବୀ ପୂରଣ ପାଇଁ ସର୍ବଭାରତୀୟ ସ୍ତରରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏଥିପାଇଁ ଭୁବନେଶ୍ୱରରେ ଏମ୍ସ ପାଇଁ ମଧ୍ୟ ଦରଖାସ୍ତ ଆହ୍ୱାନ କରାଯାଇଥିଲା । ଏମ୍ସରେ କିଛି ଲୋକଙ୍କୁ କଣ୍ଟ୍ରାକଚ୍ୟୁଆଲ୍ ଭାବେ ନିଯୁକ୍ତି ମିଳିଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଅଧିକାଂଶ ଲୋକଙ୍କୁ ନିୟମିତ କରାଯାଇଥିଲା । ଏହା ଏମ୍ସର ନିଯୁକ୍ତି ପ୍ରକ୍ରିୟାର ଉଲ୍ଲଂଘନ ଥିଲା । ନିଯୁକ୍ତି ଜାଲିଆତି ନେଇ ସିବିଆଇରେ ଏକ ମାମଲାରେ ରୁଜୁ ହୋଇଥିଲା । ଗତ ଫେବୃୟାରୀ ମାସରେ ସିବିଆଇ ଟିମ୍ ୨୭ ଜଣଙ୍କୁ ଜେରା କରାଯାଇଥିଲା । ମାମଲାର ଖୋଳତାଡ଼ବେଳେ ଜଣାପଡ଼ିଥିଲା ଯେ ଗୋଟିଏ ପରିବାର ତିନି ଜଣ ସଦସ୍ୟକୁ ଟଙ୍କା ନେଇ ନିୟମିତ କରାଯାଇଥିଲା ।