ଭୁବନେଶ୍ୱର,୨୨ /୯: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍ଇ)୨୦୨୦-୨୧ ଶିକ୍ଷାବର୍ଷରେ ଶୈକ୍ଷିକ ଦକ୍ଷତା ଏବଂ ନେତୃତ୍ୱ ଉତ୍କର୍ଷତା ନିମନ୍ତେ ଡିଏଭି ପୋଖରୀପୁଟର ବରିଷ୍ଠ ଗଣିତ ଶିକ୍ଷକ ଶିତିକଣ୍ଠ ପତି ଓ ଇଂରାଜୀ ଶିକ୍ଷୟିତ୍ରୀ ସ୍ମରଣିକା ପଟ୍ଟନାୟକ ସମ୍ମାନିତ ହୋଇଛନ୍ତି । ସିବିଏସ୍ଇ ଅନୁବନ୍ଧିତ ୨୭ ହଜାର ବିଦ୍ୟାଳୟ ଓ ୧୫ ଲକ୍ଷ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ମଧ୍ୟରୁ ୨୨ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଏହି ସମ୍ମାନର ଅଧିକାରୀ ହୋଇଥିବାବେଳେ ଲବ୍ଧପ୍ରତିଷ୍ଠ ବିଦ୍ୟାଳୟ ଡିଏଭି ପୋଖରୀପୁଟର ଦୁଇଜଣ ଶିକ୍ଷୟିତ୍ରୀଶିକ୍ଷକ ଏହି ପୁରସ୍କାର ହାସଲ କରିବାରେ ସମର୍ଥ ହୋଇଛନ୍ତି । ଭର୍ଚୁଆଲ୍ ପ୍ଲାଟଫର୍ମ ମାଧ୍ୟମରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ମାନ୍ୟବର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ, ମାନ୍ୟବର ଅନୀତା କରୱାଲ୍ ଶିକ୍ଷାସଚିବ ଭାରତ ସରକାର , ସିବିଏସ୍ଇ ଚେୟାରମ୍ୟାନ୍ ଶ୍ରୀଯୁକ୍ତ ମନୋଜଆହୁଜା ଓ ସେକ୍ରେଟାରୀ ଶ୍ରୀଯୁକ୍ତ ଅନୁରାଗ ତ୍ରିପାଠୀଙ୍କ ଉପସ୍ଥିତିରେ ଏହି ସମ୍ମାନ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ପ୍ରଦାନ କରାଯାଇଥିଲା ।

ସିବିଏସ୍ଇ ଏହି ସମ୍ମାନଜନକ ପୁରସ୍କାର ନିମନ୍ତେ ପଚାଶ ହଜାର ଟଙ୍କା , ପ୍ରମାଣପତ୍ର ଏବଂ ଶାଲ୍ ପ୍ରଦାନ କରିଥିଲେ । ସିବିଏସ୍ଇ ଭୁବନେଶ୍ୱର ଜୋନ୍ର ଆଞ୍ଚଳିକ ଅଧିକାରୀ ଥଙ୍ଗ୍ଲେଟ୍ ମାଟେ, ସିବିଏସ୍ଇ ଭୁବନେଶ୍ୱର ନଗର ସଂଯୋଜକ ଡ. ସଞ୍ଜୟ ସୁଆର, ଡିଏଭି ପୋଖରୀପୁଟର ଅଧ୍ୟକ୍ଷା ଡ. ସୁଜାତାଙ୍କ ଗହଣରେ ଉଭୟ ଶିକ୍ଷକ ଶିକ୍ଷୟିତ୍ରୀ ସମ୍ମାନିତ ହୋଇଥିଲେ । ଏହି ସଫଳତା ନିମନ୍ତେ ଉଭୟ ଶିକ୍ଷକ ଶିକ୍ଷୟିତ୍ରୀ ବିଦ୍ୟାଳୟପରିଚାଳନା ସମିତିର ଚେୟାରମ୍ୟାନ୍ ଡ. ଅରୁଣ କୁମାର ରଥ, ଡିଏଭି ଓଡ଼ିଶା ଜୋନ୍-୧ର ଆଞ୍ଚଳିକ ଅଧିକାରୀ ଡ. କେଶବ ଚନ୍ଦ୍ର ଶତପଥୀ ଓ ଡିଏଭି ଓଡ଼ିଶା ଜୋନ୍-୧ର ସହ ଆଞ୍ଚଳିକ ଅଧିକାରୀ ତଥା ଡିଏଭି ପୋଖରୀପୁଟର ଅଧ୍ୟକ୍ଷା ଡ. ସୁଜାତାଙ୍କ ପ୍ରେରଣା ଦ୍ୱାରା ଏହି ପୁରସ୍କାରର ଅଧିକାରୀ ହୋଇଥିବା କଥା ସେମାନେ ପ୍ରକାଶ କରିଛନ୍ତି । ଏହି ସଫଳତା ନିମନ୍ତେ ବିଭିନ୍ନ ଅନୁଷ୍ଠାନ ଶିକ୍ଷାନୁଷ୍ଠାନ ତରଫରୁ ସେମାନଙ୍କ ନିଟକକୁ ତଥା ବିଦ୍ୟାଳୟକୁ ଶୁଭେଚ୍ଛାର ବାର୍ତ୍ତା ଆସୁଅଛି । ସମଗ୍ର ଓଡ଼ିଶାରୁ ମାତ୍ର ଦୁଇଜଣ ଏହି ବିରଳ କୃତିତ୍ୱର ଅଧିକାରୀ ହୋଇଥିବାରୁ ଡିଏଭି ପୋଖରୀପୁଟ ପରିବାରବର୍ଗ ଏହି ଗୌରବ ନିମନ୍ତେ ଆତ୍ମବିଭୋର ହୋଇପଡ଼ିଛନ୍ତି ।