ଆସନ୍ତା ୨୫ରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତିମଣତି

ଭୁବନେଶ୍ୱର, ୨୧/୦୩ : ଆସନ୍ତା ୨୫ ତାରିଖ ଚୈତ୍ର ଶୁକ୍ଳ ସପ୍ତମୀ ତିଥି ମଧ୍ୟାହ୍ନ ୧୨ଟା ୦୯ ରୁ ଦିନ ଗୋଟାଏ ୪୫ ମଧ୍ୟରେ ହେବ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି । ଏହି ପ୍ରକ୍ରିୟାର ଭିଡ଼ିଓଗ୍ରାଫି,ଫଟୋଗ୍ରାଫି ଓ 3 D ମ୍ୟାପିଂ କରାଯିବ । ପ୍ରଥମେ ଚଳନ୍ତି ରତ୍ନଭଣ୍ଡାର ଗଣତି ମଣତି ହେବ । ୧୯୭୮ ମସିହାର ଗଣତି ମଣତି ପୂର୍ଣ୍ଣାଙ୍ଗ ତାଲିକା ସହ ଏହାର ମେଳ କରାଯିବ । ସ୍ୱର୍ଣ୍ଣ ଅଳଙ୍କାର ହଳଦିଆ ରଙ୍ଗର ଭେଲଭେଟ କନାରେ ଗୁଡ଼ାଯାଇ ଟିଣ ବାକ୍ସ ଓ ପରେ ତାକୁ ସିନ୍ଦୁକରେ ରଖାଯିବ । ରୌପ୍ୟ ଅଳଙ୍କାର ଧଳା ବା ସିଲଭର ରଙ୍ଗ ଓ ଅନ୍ୟାନ୍ୟ ଅଳଙ୍କାର ଲାଲ ରଙ୍ଗ ଭେଲଭେଟ କନାରେ ଗୁଡ଼ାଯାଇ ରଖାଯିବ । ଗଣତିମଣତି ବେଳେ କୌଣସି ମୂଲ୍ୟାୟନ ହେବ ନାହିଁ । ପାରମ୍ପରିକ ବସ୍ତ୍ର ପିନ୍ଧି ହେବ ଗଣତିମଣତି । ଗଣତିମଣତି ବେଳେ ବାହାର କାଠପାଖରୁ ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରିବେ । ବିଶେଷ ଦିନ,ପର୍ବ ପର୍ବାଣୀ ,ଶନିବାର ଓ ରବିବାରରେ ଗଣତିମଣତି ହେବ ନାହିଁ । ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ପାଇଁ ସୁପରଭାଇଜିଂ ଟିମ ଓ ହାଣ୍ଡଲିଂ ଟିମ ଦୁଇଟି ଟିମ୍ ଗଠିତ ହୋଇଛି । ଭିତର ରତ୍ନଭଣ୍ଡାରର ଗଣତିମଣତି ଦିନ ଟ୍ରେଜେରୀରୁ ଚାବି ଆସିବ । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଖୋଲିବ ଏବଂ ବନ୍ଦ କରାଯିବ ।