ଭୁବନେଶ୍ବର,୧୯ /୧୦ : ଓଡ଼ିଶାର ଜନଜାତି ତଥା ଅସୁବିଧାରେ କାଳାତିପାତ କରୁଥିବା ଅନ୍ୟାନ୍ୟ ସମ୍ପ୍ରଦାୟଙ୍କୁ ସଶକ୍ତ କରିବା ପାଇଁ ଗତ ତିନିବର୍ଷ ମଧ୍ୟରେ କେନ୍ଦ୍ର ସରକାର ରାଜ୍ୟକୁ ୧୬୫୬.୮ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଅନୁଦାନ ଦେଇଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ କରିଛନ୍ତି ।
ଦେଶରେ ଜନଜାତି ଜନସଂଖ୍ୟାର ବିକାଶ ପାଇଁ ନିରନ୍ତର ଉଦ୍ୟମ କରିବା ତଥା ବିଶେଷଭାବରେ ଓଡ଼ିଶାରେ ଜନଜାତି ସମ୍ପ୍ରଦାୟଙ୍କର ସାମୂହିକ ବିକାଶ ଏବଂ କଲ୍ୟାଣକୁ ନିଶ୍ଚିତ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି ।
ଜନଜାତି ସଂପ୍ରଦାୟର ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ପାଇଁ ଆବାସିକ ବିଦ୍ୟାଳୟ ପ୍ରତିଷ୍ଠା କରାଯାଉଥିବା ବେଳେ ବିଶେଷତଃ ଓଡ଼ିଶାର ଦୁର୍ଗମ ତଥା ମାଓ ଅଞ୍ଚଳରେ ସ୍ଥାପିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ(ଇଏମଆରଏସ) ରାଜ୍ୟର କମ୍ ସ୍ୱାକ୍ଷରତା ଥିବା ଜିଲ୍ଲାରେ ଶିକ୍ଷା କ୍ଷେତ୍ରକୁ ମଜବୁତ୍ କରିବାରେ ଗେମ-ଚେଞ୍ଚର ଭାବେ ଉଭା ହୋଇପାରିଛି । ଗତ ତିନି ବର୍ଷରେ ୧୬,୭୦୦ ଜନଜାତି ଛାତ୍ରଛାତ୍ରୀ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟରେ ଶିକ୍ଷା ଲାଭ କରିଛନ୍ତି ।