ନୂଆଦିଲ୍ଲୀ, ୨୩/୧୧: ନଭେମ୍ବର ୨୯ରୁ ଆରମ୍ଭ ହେବାକୁ ଯାଉଛି ଶୀତକାଳୀନ ଅଧିବେଶନ। ଏହି ଅଧିବେଶନ ପାଇଁ ମୋଟ୍ ୨୬ ବିଧେୟକ ସୂଚୀ ବଦ୍ଧ କରାଯାଇଛି। ଏଥିରେ କ୍ରିପ୍ଟୋ କରେନ୍ସି ଏବଂ ତିନି କୃଷି ଆଇନ ପ୍ରତ୍ୟାହାର ବିଧେୟକ ସାମିଲ୍। ଶୀତକାଳୀନ ଅଧିବେଶନରେ କେନ୍ଦ୍ର ସରକାର ‘ଦ କ୍ରିପ୍ଟୋ କରେନ୍ସି ଆଣ୍ଡ ରେଗୁଲେସନ ଅଫ ଅଫିସିଆଲ ଡିଜିଟାଲ କରେନ୍ସି ବିଲ୍ ୨୦୨୧’ ଉପସ୍ଥାପନ କରିବେ। କ୍ରିପ୍ଟୋ କରେନ୍ସିକୁ ନେଇ ପ୍ରଧାନମନ୍ତ୍ରୀଙ୍କଠୁ ନେଇ ଆରବିଆଇ ଗଭର୍ଣ୍ଣର ମଧ୍ୟ ଚିନ୍ତା ବ୍ୟକ୍ତ କରି ସାରିଛନ୍ତି।
ଏହି ବିଧେୟକ ଆଣିବାର ଉଦ୍ଦେଶ୍ୟ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ପକ୍ଷରୁ ଜାରି ହେବାକୁ ଥିବା ଆନୁଷ୍ଠାନିକ ଡିଜିଟାଲ ମୁଦ୍ରାର ନିର୍ମାଣ ପାଇଁ ଏକ ସୁବିଧାଜନକ ବ୍ୟବସ୍ଥା ପ୍ରସ୍ତୁତ କରିବା ରହିଛି। ଏଥିସହ ଦେଶରେ ସମସ୍ତ ଡିଜିଟାଲ କ୍ରିପ୍ଟୋକରେନ୍ସି ଉପରେ ପ୍ରତିବନ୍ଧକ ଲଗାଯାଇ ପାରିବ। କେନ୍ଦ୍ର ସରକାର ଆଲୋଚନା ପାଇଁ ଏହି ବିଧେୟକୁ ଚଳିତ ବର୍ଷ ସଂସଦର ବଜେଟ୍ ଅଧିବେଶନରେ ମଧ୍ୟ ଉପସ୍ଥାପନ କରିଥିଲେ।
ଭାରତରେ କ୍ରିପ୍ଟୋ କରେନ୍ସିର ଆନୁମାନିକ ଦେଢ କୋଟିରୁ ଅଧିକ ଉପଭୋକ୍ତା ଅଛନ୍ତି। ଏହାର ମୂଲ୍ୟ ପ୍ରାୟ ଛଅ ଅରବ ଡଲାରରୁ ଅଧିକ ହେବ। କ୍ରିପ୍ଟୋ କରେନ୍ସିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଚିନ୍ତା ପ୍ରକାଶ କରି ସାରିଛନ୍ତି। ସମସ୍ତ ଗଣତାନ୍ତ୍ରିକ ଦେଶକୁ ଏହା ଉପରେ ମିଶି କାମ କରିବାକୁ ପଡିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଏହା ମଧ୍ୟ ସୁନିଶ୍ଚିତ କରିବାକୁ ପଡିବ ଯେ, ଯେମିତି ଏହି କରେନ୍ସି ଭୁଲ୍ ଲୋକଙ୍କ ହାତକୁ ନଯାଏ।
ରିଜର୍ଭ ବ୍ୟାଙ୍କ ମଧ୍ୟ କ୍ରିପ୍ଟୋ କରେନ୍ସିକୁ ନେଇ କଡା ଆପତ୍ତି ପ୍ରକାଶ କରି ସାରିଛି। ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଅନୁଯାୟୀ, କ୍ରିପ୍ଟୋ କରେନ୍ସି କେନ୍ଦ୍ରୀୟ ବ୍ୟାଙ୍କର ନିୟମ ଅଧିନରେ ଆସୁନାହିଁ। ତେଣୁ ଦେଶର କୌଣସି ପ୍ରକାରର ଆର୍ଥିକ ପ୍ରଣାଳୀ ପାଇଁ ଏହା ବଡ ଭାରି ପଡିପାରେ। ତେଣୁ ଏହା ଉପରେ ଗମ୍ଭୀରତାର ସହ ବିଚାର କରାଯିବାର ଆବଶ୍ୟକ୍ତ ଥିବା ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି।