ଭୁବନେଶ୍ୱର : ଓଡ଼ିଶାରେ ହୋଇଥିବା ବନ୍ୟା ପ୍ରଭାବିତ ଅଞ୍ଚଳରେ କ୍ଷୟକ୍ଷତି ଅନୁଧ୍ୟାନ କରିବାକୁ କେନ୍ଦ୍ରୀୟ ଟିମ ଓଡ଼ିଶା ଆସୁଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରାଳୟର ଯୁଗ୍ମ ସଚିବ ପ୍ରବୀଣ ବଶିଷ୍ଟଙ୍କ ନେତୃତ୍ୱରେ ଏହି କେନ୍ଦ୍ରୀୟ ଟିମ ଆଜି ସକାଳେ ଓଡ଼ିଶା ଆସୁଛନ୍ତି। ଏହି ଟିମରେ ଗୃହ, କୃଷି, ଜଳସଂପଦ ଆଦି ମନ୍ତ୍ରାଳୟର ଅଧିକାରୀମାନେ ରହିଛନ୍ତି ।
ଏହି ଟିମ ତିନିଟି ଭାଗରେ ବିଭକ୍ତ ହୋଇ ଯାଜପୁର, ପୁରୀ, ଭଦ୍ରକ ଓ କେନ୍ଦ୍ରାପଡ଼ା ପ୍ରଭୃତି ବନ୍ୟା କ୍ଷତିଗ୍ରସ୍ତ ଜିଲ୍ଲା ଗ୍ରସ୍ତ କରିବେ । ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ ହୋଇଥିବା କ୍ଷୟକ୍ଷତି ଆକଳନ ପରେ ସେମାନେ ଆସନ୍ତା କାଲି ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ସହ ଏକ ବୈଠକ କରିବେ ।
ଗତ ଅଗଷ୍ଟ ମାସରେ ଓଡ଼ିଶାରେ ହୋଇଥିବା ଲଗାଣ ବର୍ଷା ଯୋଗୁଁ ଅନେକ ଜିଲ୍ଲା ପ୍ରଭାବିତ ହୋଇଥିଲେ । ତେବେ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିଲେ ଯାଜପୁର, ପୁରୀ, ଭଦ୍ରକ ଓ କେନ୍ଦ୍ରାପଡ଼ା ପ୍ରଭୃତି ଜିଲ୍ଲା । ବନ୍ୟା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆକାଶମାର୍ଗରୁ କ୍ଷୟକ୍ଷତିର ନିରୀକ୍ଷଣ କରିଥିଲେ । ତେବେ କ୍ଷୟକ୍ଷତିର ଆକଳନ କରିବାକୁ ଏକ କେନ୍ଦ୍ରୀୟ ଟିମ ପଠାଇବାକୁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ ।