କୋରାପୁଟ,୨୮/ ୮: ସୁନାବେଡ଼ାଠାରେ ଅବସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ୨୯ ଅଗଷ୍ଟ ୨୦୨୫ ରେ ବିଶ୍ୱବିଦ୍ୟାଳୟ ୧୭ତମ ପ୍ରତିଷ୍ଠା ଦିବସ ଉତ୍ସବ ପାଳନ କରିବ। ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ପ୍ରଫେସର ନରସିଂହ ଚରଣ ପଣ୍ଡା ସକାଳେ ବିଶ୍ୱବିଦ୍ୟାଳୟର ପତାକା ଉତ୍ତୋଳନ କରି, ସଭାରେ ଉପସ୍ଥିତ ଲୋକମାନଙ୍କୁ ସମ୍ବୋଧନ କରିବେ। ସେ ଏହି ଅବସରରେ ଆୟୋଜିତ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବେ।ଓଡ଼ିଆ ଶାସ୍ତ୍ରୀୟ ଅଧ୍ୟୟନ ଉତ୍କୃଷ୍ଟତା କେନ୍ଦ୍ରର ପୂର୍ବତନ ନିର୍ଦ୍ଦେଶକ ତଥା ପ୍ରଫେସର ବସନ୍ତ କୁମାର ପଣ୍ଡା ଏହି ଅବସରରେ ପ୍ରତିଷ୍ଠା ଦିବସ ବ୍ୟାଖ୍ୟାନ ପ୍ରଦାନ କରିବେ। ଗୁରୁ ଘାସୀଦାସ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ବିଲାସପୁରର କୁଳପତି ପ୍ରଫେସର ଆଲୋକ କୁମାର ଚକ୍ରବାଲ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହିବେ।
ଭାରତ ସରକାର ଦ୍ୱାରା ୨୦୦୯ ମସିହାରେ ପ୍ରତିଷ୍ଠିତ ହୋଇଥିବା ଏହି ବିଶ୍ୱବିଦ୍ୟାଳୟ ବର୍ତ୍ତମାନ ୧୫ ଟି ସ୍ନାତକୋତ୍ତର କାର୍ଯ୍ୟକ୍ରମ, ୧ ଟି ଏକୀକୃତ ଏମଏସସି କାର୍ଯ୍ୟକ୍ରମ, 1ଟି ବିଏଡ୍ କାର୍ଯ୍ୟକ୍ରମ, ୩ ଟି ଚାରି ବର୍ଷୀୟ ବିଏସସି କାର୍ଯ୍ୟକ୍ରମ ସହିତ ୧୭ ଟି ପିଏଚ୍ଡି କାର୍ଯ୍ୟକ୍ରମ ପ୍ରଦାନ କରୁଛି। ଗତ ଏକ ବର୍ଷ ମଧ୍ୟରେ ପ୍ରାୟ 50 ଜଣ ନୂତନ ଅଧ୍ୟାପକ ବିଶ୍ୱବିଦ୍ୟାଳୟରେ ଯୋଗଦେଇଛନ୍ତି।
ବିଶ୍ୱବିଦ୍ୟାଳୟ ଏହି ଅଞ୍ଚଳ ଓ ରାଜ୍ୟବାସୀଙ୍କ ଆକାଂକ୍ଷାକୁ ପୂରଣ କରିବା ପାଇଁ ନିଜର ଶିକ୍ଷାନୁଷ୍ଠାନିକ ଓ ଭିତ୍ତିଭୂମିର ଉନ୍ନତି ପ୍ରତି ସଙ୍କଳ୍ପବଦ୍ଧ ଅଟୁଟ ରହିଛି। ସମ୍ପ୍ରତି ଭାରତ ସରକାରର ମାନ୍ୟବର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଶ୍ୱବିଦ୍ୟାଳୟକୁ ପରିଦର୍ଶନରେ ଆସି ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଥିଲେ। ସେ ମଧ୍ୟ ବିଶ୍ୱବିଦ୍ୟାଳୟର ପରିସର ବିକାଶ ପାଇଁ କେନ୍ଦ୍ରୀୟ ଅନୁଦାନ ଘୋଷଣା କରିଥିଲେ।
ବିଶ୍ୱବିଦ୍ୟାଳୟ ଏହାର 16 ବର୍ଷର ଯାତ୍ରା ସଫଳ ଭାବେ ସମାପ୍ତ କରିଛି ଓ ଛାତ୍ରଛାତ୍ରୀ, ଅଧ୍ୟାପକ, କର୍ମଚାରୀ ଓ ଅନ୍ୟାନ୍ୟ ହିତଧାରୀମାନେ 17ତମ ପ୍ରତିଷ୍ଠା ଦିବସକୁ ଉତ୍ସାହରେ ଏବଂ ସଫଳ ଭାବେ ପାଳନ କରିବା ନିମନ୍ତେ ପ୍ରସ୍ତୁତ ଅଛନ୍ତି ବୋଲି ବିଶ୍ୱବିଦ୍ୟାଳୟର ଲୋକସଂପର୍କ ଅଧିକାରୀ ଡ଼ଃ ଫଗୁନାଥ ଭୋଇ ଜଣାଇଛନ୍ତି।
