ନୂଆଦିଲ୍ଲୀ, ୧୪/୧୨ : ବାୟୁ ପ୍ରଦୂଷଣ ପାଇଁ ବିଗୁଡୁଛି ଦିଲ୍ଲୀର ସ୍ଥିତି । ବାୟୁ ପ୍ରଦୂଷଣର ସବୁଠୁ ଖରାପ ସ୍ଥିତିରେ ପହଞ୍ଚିଛି ଦିଲ୍ଲୀ । ବଢୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ରାଜଧାନୀ ଦିଲ୍ଲୀ ଏନସିଆରରେ ଗ୍ରାପ୍-୪ ଲଗାଯାଇଛି । ଶନିବାର ଅଧିକାଂଶ ସ୍ଥାନରେ ଏୟାର ଇଣ୍ଡେକ୍ସ କ୍ବାଲିଟି ୪ଶହ ଟପିବା ସହ ଘନ କୁହୁଡ଼ିରେ ଆଚ୍ଛାଦିତ ହୋଇରହିଛି ପୂରା ଦିଲ୍ଲୀ । ଏହି ଗ୍ରାପ୍-୪ ଲାଗୁ ହେବାର ଅର୍ଥ ହେଉଛି, ଦିଲ୍ଲୀର ସ୍ଥିତି ଅଣାୟତ୍ତ ହେଉଛି । ଆଜି ସକାଳୁ ରାଜଧାନୀର ୨୧ଟି ସ୍ଥାନରେ ଏକ୍ୟୁଆଇ ୪ଶହ ଟପିବା ପରେ ଲାଗୁ କରାଯାଇଛି ଗ୍ରାପ୍-୪। ଏହାଛଡା ବିଭିନ୍ନ କଟକଣା ମଧ୍ୟ ଲଗାଯାଇଛି । ପ୍ରତିବର୍ଷ ଶୀତ ଆରମ୍ଭରେ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଏକ ପ୍ରମୁଖ ସମସ୍ୟା ଭାବରେ ଉଭା ହୁଏ। ଚଳିତ ବର୍ଷ ମଧ୍ୟ ପରିସ୍ଥିତି ଅତ୍ୟନ୍ତ ଚିନ୍ତାଜନକ। ଶୀତଦିନେ ପବନର ଗତି କମିଯାଏ ଏବଂ ତାପମାତ୍ରା ହ୍ରାସ ପାଏ, ଯାହା ପ୍ରଦୂଷକ କଣିକାଗୁଡିକୁ ଭୂପୃଷ୍ଠ ନିକଟରେ ରହିବାକୁ ସାହାଯ୍ୟ କରେ ଏବଂ ଧୂଆଁକୁ ତଳକୁ ଠେଲିଦିଏ, ଯାହା ଫଳରେ ଏକ ଧୂଆଁଳିଆ ଆବରଣ ସୃଷ୍ଟି ହୁଏ ।