ଭୁବନେଶ୍ୱର,୪ /୯- (ପ୍ରଦୀପ୍ତ କୁମାର ଦାସ) : ଚନ୍ଦକା ଥାନା ଅନ୍ତର୍ଗତ ଫିରିକିନାଳି ଇଲାକାରେ ବେଆଇନ ଆଗ୍ନେୟାସ୍ତ୍ର ଓ ବନ୍ୟଜନ୍ତୁ ଶିକାର ଘଟଣା ନେଇ ଆଜି ସ୍ଥାନୀୟ ପୋଲିସ ଏଗାର କେଜି ସଦ୍ୟ ହରିଣ ମାଂସ ସହ ଏକ ଦେଶୀବନ୍ଧୁକ,ଗୁଳି ତିଆରି ସରଞ୍ଜାମ,ଆନୁସଙ୍ଗିକ ହତିଆର ଓ ଭୁଜାଲି ଇତ୍ୟାଦି ଜବତ କରିଛି । ତେବେ ବେଆଇନ ଆଗ୍ନେୟାସ୍ତ୍ର କାରବାର ସମ୍ପର୍କରେ ଖବରପାଇ ଚନ୍ଦକା ପୋଲିସ ଫିରିକିନାଳିର ଏକସନ୍ଦିଗ୍ଧ ସ୍ଥାନରେ ଚଢ଼ାଉ କରି ଗେଡ଼ୁ ହେମ୍ବ୍ରମ ଓ ନିର୍ମଳ ଶ୍ରୀଚନ୍ଦନ ନାମକ ୨ ଜଣଙ୍କୁ ଗିରଫ କରିଥିଲା ।

ତଦନ୍ତ ବେଳେ ଘଟଣାସ୍ଥଳରୁ ଉପରୋକ୍ତ ସାମଗ୍ରୀ ଜବତ କରିଥିଲା । ପରେ ଉକ୍ତ ହରିଣ ମାଂସ କିଣିଥିବା ୭ ଜଣ ଗ୍ରହୀତାଙ୍କୁ ମଧ୍ୟ ବନ୍ୟଯନ୍ତୁ ସଂରକ୍ଷଣ ଆଇନ ଅନୁଯାୟୀ ଗିରଫ କରାଯାଇଥିଲା । ଏମାନଙ୍କ ବିରୋଧରେ ପୋଲିସ ୨୫ ଆର୍ମସ ଆକ୍ଟ ଓ ୱାଇଲଡ ଲାଇଫ ଆକ୍ଟ ଅନୁଯାୟୀ ଏକ ମାମଲା ରୁଜୁ କରି ଅନୁସନ୍ଧାନ ଜାରି ରଖିଥିବା ବେଳେ ଘଟଣାରେ ସମ୍ପୃକ୍ତ ୯ ଜଣଯାକ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା କମିସନରେଟ ପୋଲିସ ସୂତ୍ରରୁ ପ୍ରକାଶ ।