ଚନ୍ଦ୍ରଗ୍ରହଣ ପାଇଁ ଶ୍ରୀମନ୍ଦିର ନୀତି ନିର୍ଘଣ୍ଟରେ ପରିବର୍ତ୍ତନ

ପୁରୀ : ଆସନ୍ତା ୮ ତାରିଖ କାର୍ତ୍ତିକ ପୂର୍ଣ୍ଣିମାରେ ଚନ୍ଦ୍ରଗହଣ ପଡୁଥିବାରୁ ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ପୂର୍ବରୁ ନିର୍ଦ୍ଧାରିତ ହୋଇଥିବା ନୀତି ନିର୍ଘଣ୍ଟରେ ପରିବର୍ତ୍ତନ ହୋଇଛି । ଏ ନେଇ ଛତିଶାନିଯୋଗ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ୮ ତାରିଖରେ ସୂର୍ଯ୍ୟୋଦୟ ୫ଟା ୪୫ ମିନିଟ୍ ୫୩ ସେକେଣ୍ଡରେ ଆରମ୍ଭ ହେଉଥିବାରୁ ସେହି ସମୟରୁ ପାକତ୍ୟାଗ ଓ ଦେବନୀତି ନିଷେଧ ହେବ । ତେବେ ଦେବନୀତି ନିଷେଧ ଓ ଚନ୍ଦ୍ରଗ୍ରହଣ ସ୍ୱତନ୍ତ୍ର ନୀତିପାଇଁ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ଦୁର୍ଲ୍ଲଭ ସୁନାବେଶ ଦର୍ଶନରୁ ବଞ୍ଚିତ ହେବାର ସମ୍ଭାବନା ଦେଖାଦେଇଛି ।

୮ ତାରିଖ ରାତି ୧୨ଟା ୧୦ରେ ଦ୍ୱାରଫିଟା ନୀତି ଶେଷ ହେବାପରେ ୨ଟା ୩୦ ସୁଦ୍ଧା ମହାପ୍ରଭୁଙ୍କ ରାଜାଧିରାଜ ବେଶ ଶେଷ କରାଯିବ । ସକାଳ ୫ଟା ୫୦ ସୁଦ୍ଧା ଭୋଗମଣ୍ଡପ ଶେଷ କରିବାକୁ ନିଷ୍ପତ୍ତି ନିଆଯାଇଛି । ସେହିପରି ଆସନ୍ତା ୪ରୁ ପଞ୍ଚୁକ ଆରମ୍ଭ ହେଉଥିବାରୁ ଶ୍ରୀମନ୍ଦିର ନୀତିକାନ୍ତି କିପରି ଶୃଙ୍ଖଳିତ ହୋଇପାରିବ ସେ ନେଇ ସମସ୍ତ ନିଯୋଗକୁ ଅନୁରୋଧ କରାଯାଇଛି । ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କ ସହ ଛତିଶା ନିଯୋଗର ସମସ୍ତ ସଦସ୍ୟ ଯୋଗ ଦେଇଥିଲେ ।