ଆସନ୍ତା ୨୦ରେ ପବିତ୍ର ଅକ୍ଷୟ ତୃତୀୟା, ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ରଥ ନିର୍ମାଣ ହେବ ଅନୁକୂଳ

ଭୁବନେଶ୍ୱର, ୦୮/୦୪ : ଆସନ୍ତା ୨୦ତାରିଖରେ ପବିତ୍ର ଅକ୍ଷୟ ତୃତୀୟାରେ ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ ଅନୁକୂଳ ହେବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବସିଥିବା ଛତିଶା ନିଯୋଗ ବୈଠକରେ ନୀତି ନିର୍ଘଣ୍ଟ ଚୂଡାନ୍ତ ହୋଇଛି । ନୀତି ସବ୍ କମିଟିରେ ଚୁଡାନ୍ତ ହୋଇଥିବା ନୀତି ନିର୍ଘଣ୍ଟକୁ ଛତିଶା ନିଯୋଗ ବୈଠକରେ ଅନୁମୋଦନ କରାଯାଇଛି । ଭକ୍ତମାନେ କିଭଳି ସୁନ୍ଦର ଭାବେ ଦର୍ଶନ କରିପାରିବେ ସେନେଇ ବୈଠକରେ ଆଲୋଚନା ହୋଇଛି । ନୀତି ନିର୍ଘଣ୍ଟ ଅନୁଯାୟୀ, ଅକ୍ଷୟ ତୃତୀୟା ଦିନ ଅପରାହ୍ନ ୩ଟାରେ ଦ୍ଵାଦଶ ଯାତ୍ରା ଓ ନକ୍ଷତ୍ର ବନ୍ଦାପନା ହେବ । ଅପରାହ୍ନ ୩ଟା ୩୦ରେ ବିମାନକୁ ଦିଅଁ ବିଜେ, ଅପରାହ୍ନ ୪ଟାରେ ରଥ ଆଜ୍ଞାମାଳ ବିଜେ ଓ ବିମାନ ଉଠିବ । ରାତ୍ର ୧୦ଟାରେ ଚନ୍ଦନ ଠାକୁର ବାହୁଡ଼ା ବିଜେ କରିବା ନେଇ ନୀତି ନିର୍ଘଣ୍ଟ ଚୁଡାନ୍ତ ହୋଇଛି । ଆଜି ଦ୍ବିତୀୟ ପର୍ଯ୍ୟାୟରେ ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାର ରତ୍ନ ଅଳଙ୍କାର ଗଣତି ମଣତି କାର୍ଯ୍ୟ ଆରମ୍ଭ ହେବ । ସେହିପରି ଆସନ୍ତା ୧୪ ତାରିଖ ଓଡ଼ିଆ ନବବର୍ଷରେ ମହାପ୍ରଭୁଙ୍କ ନୂତନ ରତ୍ନ ପଲଙ୍କ ବ୍ୟବହାର ହେବ। ନୂତନ ରତ୍ନ ପଲଙ୍କର ସଂସ୍କାର କରାଯିବା ପରେ ଏହା ବ୍ୟବହାର କରାଯିବ। ତିନୋଟି ନୂତନ ରତ୍ନ ପଲଙ୍କ ନିର୍ମାଣ କରାଯାଇଥିବା ବେଳେ ଏଥିରେ ରୂପା ଆଚ୍ଛାଦିତ କରାଯାଇଛି ।