ସାରଜା, ୨୩/୧୦ : ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ତ୍ରୟୋଦଶ ସଂସ୍କରଣର ୪୧ତମ ମ୍ୟାଚ୍ରେ ଆଜି ଚେନ୍ନାଇ ସୁପର କିଙ୍ଗସ୍ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚରେ ଚେନ୍ନାଇ ମୁମ୍ବାଇକୁ ୧୧୫ ରନ୍ର ବିଜୟ ଲକ୍ଷ୍ୟ ଦେଇଛି। ସାରଜା କ୍ରିକେଟ୍ ଷ୍ଟାଡିୟମରେ ଶୁକ୍ରବାର ଖେଳାଯାଉଥିବା ଏହି ମ୍ୟାଚ୍ରେ ଚେନ୍ନାଇ ମୁମ୍ବାଇ ବୋଲରଙ୍କ ସମ୍ମୁଖୀନ ହୋଇନପାରି ବ୍ୟାଟିଂ ବିପର୍ଯ୍ୟୟ ଭୋଗିଛି। ଚେନାଇ ୯ ଓ୍ଵିକେଟ୍ ହରାଇ ୧୧୪ ରନ କରିବାରେ ସମର୍ଥ ହୋଇଛି।
ଟସ୍ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ମୁମ୍ବାଇ ଇଣ୍ଡିଆନ୍ସ। ତେବେ ରୋହିତ ଶର୍ମାଙ୍କ ଭଲ ବୋଲିଂ ରଣନୀତି ଯୋଗୁଁ ଚେନ୍ନାଇ ମାତ୍ର୨.୫ ଓଭରରେ ୩ ରନ୍ ସଂଗ୍ରହ କରି ୪ଟି ମୂଲ୍ୟବାନ ଓ୍ଵିକେଟ୍ (ଋତୁରାଜ ଗାୟକଓ୍ଵାଡ, ଅମ୍ବାତି ରାୟଡୁ, ଏନ୍ ଜଗଦୀଶନ ଓ ଫାଫ୍ ଡୁ ପ୍ଲେସିସ୍) ହରାଇଥିଲା। ଦଳୀୟ ସ୍କୋର ୨୧ ରନ୍ ଥିବା ବେଳେ ଅଲରାଉଣ୍ଡର ରବୀନ୍ଦ୍ର ଜାଦେଜା ଓ ୩୦ ରନ୍ ଥିବା ବେଳେ ଅଧିନାୟକ ମହୋନ୍ଦ୍ର ସିଂହ ଧୋନି ଆଉଟ୍ ହୋଇ ପାଭଲିଅନ୍ ଫେରିଥିଲେ। ଚେନ୍ନାଇ ୪୩ ରନ୍ରେ ଦୀପକ ଚହର, ୭୧ ରନ୍ରେ ଶାର୍ଦ୍ଦୁଲ ଠାକୁର ଓ ୧୧୪ ରନ୍ରେ ସାମ୍ କୁରାନଙ୍କୁ ହରାଇଥିଲା।
ମୁମ୍ବାଇ ଇଣ୍ଡିଆନ୍ସର ଟ୍ରେଣ୍ଟ୍ ବୋଲ୍ଟ ୪ଟି ଓ୍ଵିକେଟ ନେଇଥିଲେ। ସେହିପରି କ୍ରୁଣାଳ ପାଣ୍ଡ୍ୟା ଓ ରାହୁଲ ଚାହରଙ୍କୁ ୨-୨ଟି ଓ୍ଵିକେଟ ମିଳିଥିବା ବେଳେ ନାଥାନ କଲ୍ଟର ନାଇଲ୍ ନେଇଥିଲେ ଗୋଟିଏ ଓ୍ଵିକେଟ୍।