ଆଇପିଏଲ – ୨୦୨୧ : ବାଙ୍ଗାଲୋରକୁ ୬୯ ରନରେ ହରାଇଲା ଚେନ୍ନାଇ

ମୁମ୍ବାଇ,୨୫ /୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ୧୯ ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ୍‌ (ସିଏସ୍‌କେ) ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି)କୁ  ୬୯ ରନ୍‌ରେ ହରାଇଛି। ଏହି ବିଜୟ ସହ ଚେନ୍ନାଇ ପଏଣ୍ଟ ଟେବଲ୍‌ର ଶୀର୍ଷରେ ପହଞ୍ଚିଯାଇଛି।

ଚେନ୍ନାଇ ଅଧିନାୟକ ଧୋନୀ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଯାହାକୁ ସଠିକ୍ ସାବ୍ୟସ୍ତ କରିଥିଲେ ଦଳର ବ୍ୟାଟ୍ସମ୍ୟାନମାନେ । ଦୁଇ ଓପନର ଗାଏକ୍ୱାଡ୍ ଓ ଡୁ ପ୍ଲେସିସ୍ ୭୪ ରନର ପାର୍ଟନରସିପ ଗଢିଥିଲେ । ଏହାପରେ ସୁରେଶ ରାଇନା ଓ ରବୀନ୍ଦ୍ର ଜାଡେଜା ମଧ୍ୟ ଧୂଆଁଧାର ଇଂନିସ ଖେଳିଥିଲେ । ଯାହା ଫଳରେ ଦଳର ସ୍କୋର ୨୦ ଓଭରରେ ୧୯୧ରେ ପହଞ୍ଚିଥିଲା । ଆରସିବି ପକ୍ଷରୁ ହର୍ଷଲ ପଟେଲ ୩ଟି ସଫଳତା ପାଇଥିବା ବେଳେ ଚହଲ ଗୋଟିଏ ମାତ୍ର ସଫଳତା ପାଇଥିଲେ । ଆରସିବିର ଅନ୍ୟ କୌଣସି ବୋଲର ସଫଳ ସାବ୍ୟସ୍ତ ହୋଇ ନଥିଲେ ।

୧୯୨ ରନର ବିଜୟଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ବାଙ୍ଗାଲୋର କିନ୍ତୁ ଭଲ ଆରମ୍ଭ ପରେ ବ୍ୟାଟିଂ ବିପଯ୍ୟୟର ସାମ୍ନା କରିଥିଲା। ଦଳର ୮ ଜଣ ବ୍ୟାଟ୍ସମ୍ୟାନ୍ ଶହେ ରନ୍ ଭିତରେ ହିଁ ପ୍ୟାଭିଲିୟନ ଫେରିଥିଲେ । ଏହାପରେ ଦଳ ମାତ୍ର ୧୨୨ ରନ କରିପାରିଥିଲା । ଚେନ୍ନାଇ ପକ୍ଷରୁ ସଫଳ ବୋଲର ଭାବେ ରବୀନ୍ଦ୍ର ଜାଡେଜା ୩ଟି, ତାହିର ୨ଟି ସଫଳତା ପାଇଥିଲେ ।