ରାୟପୁର,୪ /୪ : ଛତିଶଗଡ଼ରେ ମାଓବାଦୀମାନଙ୍କ ଅତର୍କିତ ଆକ୍ରମଣରେ ୨୨ଜଣ ଯବାନ ସହିଦ ହେବା ଘଟଣାରେ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କୁ ବିଜେପି ଟାର୍ଗେଟ୍ କରିଛି। ବିଜେପି ସାଂସଦ ଦିଲୀପ ସାଇକିଆ ଅଭିଯୋଗ କରିଛନ୍ତି, ଯେଉଁ ସମୟରେ ଛତିଶଗଡ଼ର ଅନେକ ସୁରକ୍ଷା କର୍ମୀ ପ୍ରାଣ ହରାଇଛନ୍ତି, ସେହି ସମୟରେ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଆସାମରେ ନିର୍ବାଚନ ପ୍ରଚାର କରିବାରେ ବ୍ୟସ୍ତ ଅଛନ୍ତି। ସେ ଏଏନଆଇ ନ୍ୟୁଜ ଏଜେନ୍ସିକୁ ଏହା କହିଛନ୍ତି।
ଦିଲୀପ ସାଇକିଆ ଆହୁରି ମଧ୍ୟ କହିଛନ୍ତି ଯେ, ସରକାରୀ କର୍ମଚାରୀ ଏବଂ ସରକାରୀ କଳର ଅପବ୍ୟବହାର କରି ମୁଖ୍ୟମନ୍ତ୍ରୀ ଆସାମରେ ଡେରା ପକାଇଛନ୍ତି। ନିର୍ବାଚନ କମିସନ ଏହି ଘଟଣାର ଅନୁସନ୍ଧାନ କରିବା ଉଚିତ। ‘
ସୂଚନାଯୋଗ୍ୟ, ଶନିବାର ଦିନ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ମାଓବାଦୀମାନେ ଅତର୍କିତ ଆକ୍ରମଣ କରିବାରୁ ଅନ୍ୟୂନ ୨୨ଜଣ ଯବାନ ସହିଦ ହୋଇଛନ୍ତି ଏବଂ ଆହୁରି ୩୧ଜଣ ଯବାନ ଆହତ ହୋଇଛନ୍ତି।
ଆହୁରି କେତେଜଣ ଯବାନ ନିଖୋଜ ଥିବା ଖବର ମଧ୍ୟ ଆସିଛି। ନିଖୋଜ ଯବାନମାନଙ୍କୁ ଠାବ କରିବା ଲାଗି ବ୍ୟାପକ ତଲାସ ଅଭିଯାନ ଆରମ୍ଭ ହୋଇଛି।