ଉଦୟପୁର,୧୪/୫: ଉଦୟପୁରରେ ସାମ୍ବାଦିକଙ୍କ ସହ ଆଲୋଚନାରେ ଭାରତର ଆର୍ଥିକ ଅବସ୍ଥା ଅତ୍ୟନ୍ତ ଚିନ୍ତାଜନକ ବୋଲି ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି.ଚିଦାମ୍ବରମ କହିଛନ୍ତି । କେନ୍ଦ୍ରରେ ବିଜେପି ସରକାରର ୮ ବର୍ଷରେ ମନ୍ଥର ଆର୍ଥିକ ବିକାଶ ମୋଦି ସରକାରଙ୍କ ଏବେ ପରିଚୟ ପାଲଟିଯାଇଛି।
ଦେଶ ଉଦାରିକରଣକୁ ଆପଣେଇବାର ଇତିମଧ୍ୟରେ ୩୦ ବର୍ଷ ବିତିଗଲାଣି। ଏଣୁ ଆର୍ଥିକ ନୀତି ପୁଣି ଥରେ ନିର୍ଦ୍ଧାରିତ ହେବା କଥା, ହେଲେ କେନ୍ଦ୍ରର ବିଫଳ ସରକାର ଏ ଦିଗରେ ମଧ୍ୟ ବିଫଳ ହୋଇଥିବା ଚିଦାମ୍ବରମ କହିଛନ୍ତି। କଂଗ୍ରେସ ସରକାରରେ ଉଦାରିକରଣ ନୀତିକୁ ଗ୍ରହଣ କରାଯାଇଥିଲା। ସେବେଠାରୁ ଏ ପର୍ଯ୍ୟନ୍ତ ବିଜେପି ୨ ଥର କେନ୍ଦ୍ରରେ କ୍ଷମତାକୁ ଆସିଥିଲେ ବି ଆର୍ଥିକ ସଂସ୍କାର କ୍ଷେତ୍ରରେ ସାମାନ୍ୟତମ ଉଦ୍ୟମ ମଧ୍ୟ କରିନଥିବା କହିଛନ୍ତି। ତେବେ କଂଗ୍ରେସ ଏବେବି ଉଦାରିକରଣରୁ ପଛକୁ ହଟି ନଥିବା ବେଳେ ଆଗାମୀ ପଦକ୍ଷେପ ନେବାକୁ ବି ପ୍ରସ୍ତୁତ ବୋଲି କହିଛନ୍ତି ଚିଦାମ୍ବରମ।
ଦେଶର ଅର୍ଥ ବ୍ୟବସ୍ଥାର ସ୍ଥିତି ବାସ୍ତବିକ ଚିନ୍ତାର ବିଷୟ ବୋଲି ସେ କହିଛନ୍ତି। ମହାମାରୀ ପରବର୍ତ୍ତି ଆର୍ଥିକ ସୁଧାର ଅତ୍ୟନ୍ତ ମନ୍ଥର ରହିଛି। ଗତ ୫ ମାସ ହେଲା ବିଭିନ୍ନ ସମୟରେ ୨୦୨୨-୨୩ର ବିକାଶ ହାର ଅନୁମାନ ହ୍ରାସ ହୋଇ ଚାଲିଛି। ଏଥିରେ ମୂଲ୍ୟ ବୃଦ୍ଧି ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଥିବା ବେଳେ ଆଗକୁ ଆହୁରି ଭୟାନକ ହେବା ନେଇ ଚିଦାମ୍ବରମ ସତର୍କ କରାଇଛନ୍ତି।
ଆହୁରି ମଧ୍ୟ ଚିଦାମ୍ବରମ କହିଥିଲେ, ଭାରତରେ ରୋଜଗାରର ପରିସ୍ଥିତି କେବେବି ଏପରି ନଥିଲା ବର୍ତ୍ତମାନ ଯେଉଁ ପରିସ୍ଥିତିକୁ ପହଞ୍ଚିଛି। ସେହିପରି ଜିଏସଟି ବକେୟା ସମ୍ପର୍କରେ ଉଲ୍ଲେଖ କରି ସେ କହିଛନ୍ତି ଯେ ବର୍ତ୍ତମାନ କେନ୍ଦ୍ର ଓ ରାଜ୍ୟଙ୍କ ମଧ୍ୟରେ ରାଜକୋଷୀୟ ସମ୍ପର୍କର ସମଗ୍ର ସମୀକ୍ଷାର ମଧ୍ୟ ଏବେ ସମୟ ହୋଇଯାଇଛି। ଉଦାରୀକରଣର ୩୦ ବର୍ଷ ପରେ ଏବେ ଅନୁଭବ କରାଯାଉଛି ଯେ ବେଶ୍ୱିକ୍ ଓ ସ୍ଥାନୀୟ ଘଟଣାକ୍ରମକୁ ଦେଖି ଆର୍ଥିକ ନୀତି ପୁଣି ଧାର୍ଯ୍ୟ କରିବାର ମଧ୍ୟ ଏବେ ସମୟ ହୋଇଯାଇଛି ବୋଲି ଚିଦାମ୍ବରମ କହିଛନ୍ତି।
ଏବେ ବିଶ୍ୱ ବଜାରରେ ଅଶୋଧିତ ତୈଳର ମୂଲ୍ୟ ବୃଦ୍ଧି ବାହାନାରେ ସରକାର ଏବେ ନିଜ କର୍ତ୍ତବ୍ୟ ଓ ଦାୟିତ୍ୱରୁ ଓହରି ଯାଇପାରିବେନି। ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ହେଉଛି ବୋଲି ଦେଶରେ ମୂଲ୍ୟ ବୃଦ୍ଧି ହେଉଥିବା ସରକାର କହିପାରିବେନି। ଦେଶରେ ମୂଲ୍ୟ ବୃଦ୍ଧି ୟୁକ୍ରେନ-ଋଷିଆ ଯୁଦ୍ଧ ପୂର୍ବରୁ ମଧ୍ୟ ହେଉଥିଲା। ଏଣୁ ସରକାର ମୂଲ୍ୟ ବୃଦ୍ଧି ନିୟନ୍ତ୍ରଣ ପାଇଁ ଆର୍ଥିକ ସମୀକ୍ଷା କରିବା ଜରୁରି ବୋଲି ଚିଦାମ୍ବରମ କହିଛନ୍ତି।