ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଓ ହସପିଟାଲକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୧୧/୪ : ଆଜି ପୁରୀରେ ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଓ ହସପିଟାଲକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ଲାଲ ମାଣ୍ଡଭ୍ୟ ଭର୍ଚୁଆଲ ମୋଡରେ ଉପସ୍ଥିତ ଥିଲେ ।

ଏହି ମେଡିକାଲ କଲେଜ ଉଦଘାଟନ ହେବା ସହ ପୁରୀବାସୀଙ୍କ ବହୁଦିନର ସ୍ବପ୍ନ ସାକାର ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଉଭୟ ଅଧ୍ୟାପକ ଓ ଛାତ୍ରଛାତ୍ରୀମାନଙ୍କ ପରିଶ୍ରମରୁ ଏହି ଅନୁଷ୍ଠାନ ପୁରୀବାସୀଙ୍କ ସେବା କ୍ଷେତ୍ରରେ ସୁନାମ ଅର୍ଜନ କରିପାରିବ । ଗରିବ ବର୍ଗରେ କେତେକ ଛାତ୍ରଛାତ୍ରୀ ଏଠାରେ ନାମଲେଖାଇବାକୁ ସକ୍ଷମ ହୋଇଥିବାରୁ ସେ ଆନନ୍ଦ ପ୍ରକାଶ କରିଛନ୍ତି । ରାଜ୍ୟ ସରକାରଙ୍କ ୧୫ ପ୍ରତିଶତ ସଂରକ୍ଷଣ ନୀତି ଯୋଗୁଁ ସରକାରୀ ସ୍କୁଲର କେତେକ ଛାତ୍ରଛାତ୍ରୀ ନାମ ଲେଖାଇବାକୁ ସକ୍ଷମ ହୋଇଛନ୍ତି । ଏହି ମେଡିକାଲ କଲେଜ ସ୍ଥାପନ କରିବାକୁ ସହାୟତା କରିଥିବାରୁ ସେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ।

ଏହି ଅବସରରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ଏହା ଦ୍ବାରା ଓଡ଼ିଶାରେ ସ୍ବାସ୍ଥ୍ୟସେବା ଆହୁରି ସୁଦୃଢ ହୋଇପାରିବ ବୋଲି ସେ କହିଥିଲେ । ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀଜଗନ୍ନାଥ ମେଡିକାଲ୍ କଲେଜରେ ନୂଆ କରି ନାମ ଲେଖାଇଥିବା ଛାତ୍ରଛାତ୍ରୀମାନଙ୍କ ସହ କଥା ହୋଇଥିଲେ ।

ପ୍ରଥମ ବ୍ୟାଚରେ ମେଡିକାଲ କଲେଜର କ୍ଷମତା ମୁତାବକ ୭୦ ଛାତ୍ର ଓ ୩୦ ଛାତ୍ରୀଙ୍କୁ ମିଶାଇ ୧୦୦ ଜଣ ନାମ ଲେଖାଇଛନ୍ତି । ଶିକ୍ଷାଦାନ ଲାଗି ୧୫୦ ପ୍ରଫେସର, ରିଡର ଓ ବିଶେଷଜ୍ଞଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଛି। କଲେଜରେ ୪୫୦ ଏମବିବିଏସ୍ ଛାତ୍ରଛାତ୍ରୀଙ୍କ ପାଇଁ ୫ମହଲା ବିଶିଷ୍ଟ ଏକ ହଷ୍ଟେଲର ନିର୍ମାଣ ହୋଇଛି। କଲେଜର ନୂଆ କୋଠା ନିକଟରେ ୬୫୦ ଶଯ୍ୟା ବିଶିଷ୍ଟ ମେଲିକାଲ କଲେଜ ହସ୍ପିଟାଲ୍ ନିର୍ମାଣ କରାଯାଉଛି।