ନୂଆପଡ଼ାରେ ବିଜେପିର ବାଜିମାତ

ଭୁବନେଶ୍ବର, ୧୫/୧୧ : ନୂଆପଡ଼ା ଉପନିର୍ବାଚନରେ ଭାରତୀୟ ଜନତା ପାର୍ଟିର ବୃହତ୍‌ ବିଜୟ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଜେପିର ଏହି ସଫଳତା ପାଇଁ ପ୍ରତିକ୍ରିୟା ଦେଇଛନ୍ତି । ଓଡ଼ିଶାର ରାଜନୈତିକ ଚିତ୍ରପଟ୍ଟରେ ନୂଆପଡ଼ା ଉପନିର୍ବାଚନରେ ଭାରତୀୟ ଜନତା ପାର୍ଟିର ଉଚ୍ଚକୋଟୀର ପ୍ରଦର୍ଶନ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ବିଜୟ ସରକାରଙ୍କ ନୀତି, ଆଦର୍ଶ ତଥା ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ପ୍ରତି ଜନସାଧାରଣଙ୍କ ଆସ୍ଥା ଓ ବିଶ୍ୱାସକୁ ପ୍ରମାଣିତ କରୁଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ନୂଆପଡ଼ାବାସୀ ବିରୋଧୀ ଦଳମାନଙ୍କର ଅପପ୍ରଚାର ଓ ମିଥ୍ୟା ପ୍ରତିଶ୍ରୁତିକୁ ପ୍ରତ୍ୟାଖ୍ୟାନ କରି ଭାରତୀୟ ଜନତା ପାର୍ଟି ସପକ୍ଷରେ ଏକ ସ୍ପଷ୍ଟ ଜନାଦେଶ ଦେଇଛନ୍ତି ।

ଏହି ପରିପ୍ରେକ୍ଷୀରେ ନୂଆପଡ଼ାର ପ୍ରତ୍ୟେକ ଜନସାଧାରଣଙ୍କୁ ଆନ୍ତରିକ କୃତଜ୍ଞତା ଜ୍ଞାପନ କରିବାସହ ନୂଆପଡ଼ାର ନବନିର୍ବାଚିତ ବିଧାୟକ ଜୟ ଢୋଲକିଆଙ୍କୁ ମଧ୍ୟ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି । ଏହି ବିଶାଳ ବିଜୟ ପାଇଁ ଆମ ଦଳର ରାଜ୍ୟ ସଭାପତି ମନମୋହନ ସାମଲ ଓ ମନ୍ତ୍ରୀ, ସାଂସଦ ଓ ବିଧାୟକଗଣ ତଥା ଦଳର କାର୍ଯ୍ୟକର୍ତ୍ତାମାନଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଉଛି ବୋଲି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମୋଦୀଜୀଙ୍କ ନେତୃତ୍ୱ ଆମ ଦେଶର ବିକାଶ ହେଉଛି । ତାଙ୍କ ଆଦର୍ଶ ଓ ମାର୍ଗଦର୍ଶନରେ ଆମ ସରକାର ଗତ ପ୍ରାୟ ଦେଢ଼ ବର୍ଷ ମଧ୍ୟରେ ଓଡ଼ିଶାବାସୀଙ୍କ କଲ୍ୟାଣ ଏବଂ ରାଜ୍ୟର ବିକାଶ ପାଇଁ ଦିନରାତି କାମ କରି ଚାଲିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏଥିସହ ବିହାର ବିଧାନସଭା ନିର୍ବାଚନ ଏବଂ ନୂଆପଡ଼ା ଉପନିର୍ବାଚନ ଇତିହାସ ସୃଷ୍ଟି କରିଛି । ଆଜିର ଫଳାଫଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ନେତୃତ୍ବର ଫଳ ବୋଲି ମୁଖ୍ୟମନ୍ତ୍ରୀ କହିଥିଲା ।