ଭୁବନେଶ୍ବର,୩୧/୧୦: ଧାମନଗର ଉପନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଆଜି ଭର୍ଚୁଆଲ ପ୍ରଚାର କରିଛନ୍ତି । ପ୍ରଚାରରେ ପୁରୁଣା କଥାକୁ ଦୋହରାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଧାମନଗର ବିକାଶ ଦାୟିତ୍ବ ମୋର ବୋଲି ଭୋଟରଙ୍କୁ କହିବା ସହ ବିପୁଳ ସଂଖ୍ୟାରେ ବିଜେଡ଼ି ପ୍ରାର୍ଥୀକୁ ଭୋଟ ଦେଇ ଜୟଯୁକ୍ତ କରିବାକୁ ନିବେଦନ କରିଛନ୍ତି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ମିଶନଶକ୍ତି ମହିଳାମାନଙ୍କୁ ନୂଆ ପରିଚୟ ଦେଇଛି। ସେଥିପାଇଁ ମୁଁ ଚାହୁଁଛି ଜଣେ ମା’ ବିଧାୟକ ହୁଅନ୍ତୁ। ଧାମନଗରବାସୀ ୬ଟି ଜୋନରେ ବିଜେଡ଼ିକୁ ସେବାର ସୁଯୋଗ ଦେଇଛନ୍ତି। ଧାମନଗର ବିକାଶ ଦାୟିତ୍ବ ମୋର। ସାଧାରଣ ନିର୍ବାଚନକୁ ମାତ୍ର ଆଉ ୧୮ ମାସ ବାକି ରହିଛି। ଏହି ୧୮ ମାସରେ ଆମେ ୫ ବର୍ଷର କାମ କରିପାରିବା । ଧାମନଗର ଅଞ୍ଚଳର ବିକାଶ ନେଇ ମୁଁ ନିଜେ ଏହାକୁ ଦେଖିବି। ଧାମନଗର ବିକାଶ ଦାୟିତ୍ବ ମୋର, ଧାମନଗର ଆଗକୁ ବଢ଼ିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି।
ଧାମନଗର ତିହିଡିର ୬ଟି ଜିଲା ପରିଷଦ ଜୋନରେ ଧାମନଗର ଉପନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭର୍ଚୁଆଲ ପ୍ରଚାର ନିମନ୍ତେ ବିଜେଡି ପକ୍ଷରୁ ପ୍ରସ୍ତୁତ କରାଯାଇଥିଲା । ୬ଟି ଯାକ ଜିଲା ପରିଷଦ ଜୋନରେ ଏଲଇଡି ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଚାରକୁ ପ୍ରସାରଣ କରାଯାଇଥିଲା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ପ୍ରାର୍ଥୀ ଅବନ୍ତୀ ଦାସଙ୍କ ପାଇଁ ପ୍ରଚାର କରିଥିଲେ।
