ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ରାଜ୍ୟର କରୋନା ସ୍ଥିତିର ସମୀକ୍ଷା କରିଛନ୍ତି । ଏକ ଉଚ୍ଚସ୍ତରୀୟ ବୈଠକରେ ବିଭିନ୍ନ ବିଭାଗର ସଚିବ, ଜିଲ୍ଳାପାଳ, ପୁଲିସ ବିଭାଗର ବରିଷ୍ଠ ଅଧିକାରୀ ଓ ଏସପିମାନଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ। ସମୀକ୍ଷା ବୈଠକ ପରେ କରୋନା ସ୍ଥିତିକୁ ନେଇ ନିୟମିତ ସମୀକ୍ଷା କରିବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସେ । ଏଥିସହ ମୁଖ୍ୟମନ୍ତ୍ରୀ କୋଭିଡ୍ ଗାଇଡଲାଇନକୁ କଡାକଡି ଭାବେ ଲାଗୁ କରିବା ଉପରେ ଗୁରୁତ୍ବ ଦେବା ସହ କଣ୍ଟାକ୍ଟ ଟ୍ରେସିଂ ଏବଂ ଟେଷ୍ଟିଂ ପ୍ରକ୍ରିୟା ତ୍ବରାନ୍ବିତ କରିବାକୁ ପ୍ରଶସନକୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲାପାଳ ଓ ଏସ୍.ପି ମାନେ ନିଜ ନିଜ ଅଞ୍ଚଳରେ ବ୍ୟକ୍ତିଗତ ଭାବେ ଏହି ଅନୁପାଳନକୁ ତଦାରଖ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଥିଲେ। ସେହିପରି ସ୍ବାସ୍ଥ୍ୟ ଏବଂ ସୂଚନା ଓ ଲୋକସଂପର୍କ ବିଭାଗ ବ୍ୟାପକ ପ୍ରଚାର ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ପରିମର୍ଶ ଦେଇଥିଲେ।
ସମୀକ୍ଷା ବୈଠକର ନିଷ୍ପତ୍ତି ଅନୁସାରେ ବିଭିନ୍ନ ଜିଲ୍ଲାରେ କରୋନା କଟକଣା କଡାକଡି ହେବ । ଖାସକରି ବଜାର, ଧର୍ମାନୁଷ୍ଠାନ ଓ ବିବାହ ଉତ୍ସବ ଉପରେ ସରକାରଙ୍କର ଦୃଷ୍ଟି ରହିବ । ସମସ୍ତ କରୋନା ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ନିର୍ଦ୍ଦିଷ୍ଟ ଅଞ୍ଚଳରେ ସଂକ୍ରମଣ ବଢିଲେ କଣ୍ଟେନମେଣ୍ଟ ଜୋନ ବ୍ୟବସ୍ଥା କରିବାକୁ କୁହାଯାଇଥିବା ବେଳେ ସର୍ବାଧିକ ପ୍ରଭାବିତ ରାଜ୍ୟରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖାଯିବ ବୋଲି ସୂଚନା ମିଳିଛି । ଏସବୁ ଭିତରେ କୋଭିଡ ନିୟମ ପାଳନ ହେଉଛି କି ନାହିଁ ତାହା ଉପରେ ସ୍ୱତନ୍ତ୍ର ଦୃଷ୍ଟି ରଖିବ ପୁଲିସ।
ରାଜ୍ୟରେ ଆରଟିପିସିଆର ପରୀକ୍ଷା ସଂଖ୍ୟାକୁ ବଢାଇବା ଦିଗରେ ଗୁରୁତ୍ୱ ଦିଆଯାଉଥିବା ବେଳେ ଏ ନେଇ ଜିଲ୍ଲାସ୍ତରରେ ଆବଶ୍ୟକ ହେଉଥିବା କର୍ମଚାରୀଙ୍କ ସଂଖ୍ୟା ବଢାଇବେ ସରକାର । ଏହାବାଦ୍ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ କିଛି ପ୍ରସ୍ତାବ ଦିଆଯାଇଛି । ଯେଉଁଥିରେ ବାହାଘରରେ ୫ ଶହ ବଦଳରେ ୨ ଶହ ଲୋକ ସାମିଲ ପାଇଁ ପ୍ରସ୍ତାବ ରହିଛି।