ଲକ୍ଷ୍ନୌ, ୫/୬: ଆଜି ୪୮ ବର୍ଷ ବୟସରେ ପଦାର୍ପଣ କଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ୫ ଜୁନ୍ ୧୯୭୨ ରେ ଉତ୍ତରାଖଣ୍ଡର ପୌଡୀଗଢୱାଲର ପଞ୍ଚୁର ଗ୍ରାମରେ ଜନ୍ମଗ୍ରହଣ କରିଥିବା ଅଜୟ ସିଂ ବିଷ୍ଟ ଗୋରଖପୁରରେ ପହଞ୍ଚି ଯୋଗୀ ଆଦିତ୍ୟନାଥ ହୋଇଯାଇଥିଲେ । ଯୋଗୀ ବର୍ତ୍ତମାନ ଦେଶର ବୃହତ୍ତମ ରାଜ୍ୟର ସିଂହାସନରେ ବସିଛନ୍ତି। ଯୋଗୀ ଆଦିତ୍ୟନାଥ ୨୬ ବର୍ଷ ବୟସରେ ସଂସଦରେ ପହଞ୍ଚି ୪୫ ବର୍ଷ ବୟସରେ ୟୁପିର ମୁଖ୍ୟମନ୍ତ୍ରୀ ହୋଇପାରିଥିଲେ। ସେ ହିନ୍ଦୁତ୍ୱର ଚେହେରା ଭାବରେ ରାଜ୍ୟରେ ନୁହେଁ ବରଂ ଦେଶର ରାଜନୀତିରେ ସେ ଜଣେ ଜଣାଶୁଣା ଚେହେରା ।
ଯୋଗୀ ଆଦିତ୍ୟନାଥ ଉତ୍ତରାଖଣ୍ଡର ଏକ ସାଧାରଣ ରାଜପୁତ ପରିବାରରେ ଜନ୍ମଗ୍ରହଣ କରିଥିଲେ | ତାଙ୍କ ପିତାଙ୍କ ନାମ ଆନନ୍ଦ ସିଂ ବିଷ୍ଟ ଏବଂ ମାତାଙ୍କ ନାମ ସାବିତ୍ରୀ ଦେବୀ। ଯୋଗୀ ୧୯୮୯ ରେ ଋଷିକେଶର ଭରତ ମନ୍ଦିର ଇଣ୍ଟର କଲେଜରୁ ଦ୍ୱାଦଶ ପାସ୍ କରିଥିଲେ ଏବଂ ୧୯୯୨ ରେ ହେମୱାଟୀ ନନ୍ଦନ ବାହୁଗୁନା ଗରୱାଲ ବିଶ୍ୱବିଦ୍ୟାଳୟରୁ ଗଣିତରେ ବିଏସସି ସମାପ୍ତ କରିଥିଲେ। ସେ ତାଙ୍କ ଛାତ୍ର ଜୀବନରୁ ହିଁ ରାମ ମନ୍ଦିର ଆନ୍ଦୋଳନରେ ଯୋଗ ଦେଇଥିଲେ।
୯୦ ଦଶକରେ ରାମ ମନ୍ଦିର ଆନ୍ଦୋଳନ ସମୟରେ ଅଖିଲ ଭାରତ ବିଦ୍ୟା ପରିଷଦର ଦ୍ୱାରା ଆୟୋଜିକ ଏକ କାର୍ଯ୍ୟକ୍ରମରେ ସେ ଗୋରଖନାଥ ମନ୍ଦିରର ମହନ୍ତ ଅବୈଧନାଥଙ୍କୁ ଭେଟିଥିଲେ । କିଛି ଦିନ ପରେ ଯୋଗୀ ନିଜ ପିତାମାତାଙ୍କୁ ନ ଜଣାଇ ଗୋରଖପୁର ପଳାଇ ଯାଇଥିଲେ ଏବଂ ସେଠାରେ ସେ ସନ୍ନ୍ୟାସ ନେବାକୁ ସ୍ଥିର କରିଥିଲେ ଏବଂ ଗୁରୁ ଦିକ୍ଷା ଗ୍ରହଣ କରି ନେଇଥିଲେ। ମହନ୍ତ ଅବୈଧନାଥ ମଧ୍ୟ ଉତ୍ତରାଖଣ୍ଡର ଥିଲେ, ଯିଏ କି ଅଜୟ ସିଂ ବିଷ୍ଟ ଭଳି ଜଣେ ସାଧାରଣ ଯୁବକଙ୍କୁ ଯୋଗୀ ଆଦିତ୍ୟନାଥ ରୂପେ ତିଆରି କରିଥିଲେ ।
ଯୋଗୀ ଆଦିତ୍ୟନାଥ ଗୋରଖନାଥ ମନ୍ଦିରର ମହନ୍ତର ସିଂହାସନରେ ଅବତୀର୍ଣ୍ଣ ହେବାର ଚାରି ବର୍ଷ ପରେ ମହନ୍ତ ଅବୈଧନାଥ ଯୋଗୀ ଆଦିତ୍ୟନାଥଙ୍କୁ ମଧ୍ୟ ତାଙ୍କର ରାଜନୈତିକ ଉତ୍ତରାଧିକାରୀ କରିଥିଲେ। ମହନ୍ତ ଅବୈଧନାଥ ଗୋରଖପୁରର ଚାରିଥର ସାଂସଦ ଥିଲେ, ଯୋଗୀ ୨୬ ବର୍ଷ ବୟସରେ ୧୯୯୮ ରେ ଲୋକସଭାରେ ପହଞ୍ଚିଥିଲେ ଏବଂ ପରେ ୨୦୧୭ ପର୍ଯ୍ୟନ୍ତ କ୍ରମାଗତ ପାଞ୍ଚ ଥର ଲୋକସଭାର ସାଂସଦ ଭାବେ କାର୍ଯ୍ୟ କରିଥିଲେ।
ରାଜନୀତିରେ ପ୍ରବେଶ କରିବା ପରେ ଯୋଗୀ ଆଦିତ୍ୟନାଥଙ୍କ ଭାବମୂର୍ତ୍ତି ଜଣେ ହିନ୍ଦୁତ୍ୱ ନେତା ଭାବରେ ଉଭା ହୋଇଥିଲା। ସାଂସଦ ଭାବରେ ସେ ତାଙ୍କ ତ୍ୱରିତ ନିୟମ ଏବଂ ଶୀଘ୍ର ନିଷ୍ପତ୍ତି ଫଳରେ ଗୋରଖପୁର ଜିଲ୍ଲାରେ ତାଙ୍କ ଆଦୃତି ବଢିବାକୁ ଲାଗିଲା । ଏହି କାରଣରୁ ଯୋଗୀଙ୍କ ରାଜନୈତିକ ଦୁର୍ଗକୁ ନାଁ ମୁଲାୟମ ସିଂଙ୍କ ସମାଜବାଦୀ ରାଜନୀତି ଭେଦ କରିପାରିଲା ନାଁ ମାୟାବତୀଙ୍କ ସୋସିଆଲ ଇଞ୍ଜିନିୟରିଂ ଭାଙ୍ଗି ପାରିଲା । ସମୟ ଅନୁସାରେ ଧିରେ ଧିରେ ଗୋରଖପୁରରେ ଯୋଗୀଙ୍କ ହିନ୍ଦୁତ୍ୱ କାର୍ଡର ପ୍ରାଧାନ୍ୟ ବିସ୍ତାର ଦେଖିବାକୁ ମିଳିଲା ।
ଯୋଗୀ ଆଦିତ୍ୟନାଥ ତାଙ୍କର ବ୍ୟକ୍ତିଗତ ସୈନ୍ୟବାହିନୀ, ହିନ୍ଦୁ ଯୁବା ବାହିନୀ ନିର୍ମାଣ କରିଥିଲେ, ଯାହା ଗୋସେବା କରିବା ଏବଂ ହିନ୍ଦୁ ବିରୋଧୀ କାର୍ଯ୍ୟକଳାପର ମୁକାବିଲା ପାଇଁ ଗଠିତ ହୋଇଥିଲା। ହିନ୍ଦୁ ଯୁବା ବାହିନୀ ଗୋରଖପୁରରେ ଏପରି ପରିବେଶ ସୃଷ୍ଟି କରିଥିଲେ, ଯେଉଁଥିପାଇଁ ଆଜି ପର୍ଯ୍ୟନ୍ତ ଯୋଗୀଙ୍କୁ ଚ୍ୟାଲେଞ୍ଜ କରିପାରିବା ଭଳି ନେତା ସୃଷ୍ଟି ହୋଇ ପାରିଲା ନାହିଁ। ଯୋଗୀ ଆଦିତ୍ୟନାଥ ଜଣେ ଚମତ୍କାରୀ ରାଜନେତା ଭାବରେ ତାଙ୍କର ଭାବମୂର୍ତ୍ତି ସୃଷ୍ଟି କରିଥିଲେ |
ଯୋଗୀ ଆଦିତ୍ୟନାଥଙ୍କର ସବୁଠାରୁ ବଡ ବୈଶିଷ୍ଟ୍ୟ ହେଉଛି ଯେ ସେ ସିଧାସଳଖ ଜନସାଧାରଣଙ୍କ ସହ ଯୋଗାଯୋଗ କରିବାରେ ବିଶ୍ୱାସ କରନ୍ତି | ୨୦୧୭ ରେ, ଯେତେବେଳେ ଉତ୍ତରପ୍ରଦେଶରେ ବିଜେପି ଏକ ଶକ୍ତିଶାଳୀ ସଂଖ୍ୟାଗରିଷ୍ଠତା ହାସଲ କଲା, ଦଳରେ ମୁଖ୍ଯମନ୍ତ୍ରୀ ପଦ ପାଇଁ ଅନେକ ଚେହେରା ପାଇଁ ଅନେକ ଦାବିଦାର ରହିଥିଲେ, କିନ୍ତୁ ଭାରତର ସବୁଠାରୁ ବଡ ରାଜ୍ୟର ଶାସନ ଭାର ଯୋଗୀଙ୍କୁ ଉପରେ ନ୍ୟସ୍ତ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ହେବା ପରେ ଯୋଗୀ ତାଙ୍କ ନିଷ୍ପତ୍ତି ସହିତ ନିଜର ରାଜନୈତିକ ଇଚ୍ଛା ପ୍ରଦର୍ଶନ କରିଥିଲେ। ଯଦିଓ ରାଜ୍ୟରେ ଅପରାଧୀ ମାନଙ୍କୁ ସାବାଡ କରିବା ପାଇଁ ଘନ ଘନ ଏନକାଉଣ୍ଟର ହେତୁ ବିରୋଧୀଦଳ ତାଙ୍କ ଉପରେ ଆଙ୍ଗୁଳି ଉଠାଇଥିଲେ ମଧ୍ୟ ଆଇନ ଉପରେ କୌଣସି ପ୍ରଭାବ ପକାଇ ନଥିଲା । କରୋନା ସଙ୍କଟରେ, ସିଏମ୍ ଯୋଗୀ ସିଧାସଳଖ ସକ୍ରିୟ ଥିବା ଦେଖାଯାଇଛି, ଯାହା ତାଙ୍କର ଲୋକପ୍ରିୟତାକୁ ଆହୁରି ଅଧିକ ବଢାଇ ଦେଇଛି |
ତେବେ ଯୋଗୀଙ୍କ କାର୍ଯ୍ୟ ଦକ୍ଷତା ଏବଂ ଲୋକମାନଙ୍କ ପ୍ରତି ତାଙ୍କ ନିଷ୍ଠାପରତାକୁ ଦେଖି କେତେକ ରାଜନୈତିକ ବିଶେଷଜ୍ଞ ଯୋଗୀ ଆଦିତ୍ୟନାଥଙ୍କୁ ଭାରତ ରାଜନୀତିର ଭବିଷ୍ୟତ ବୋଲି ବିଚାର କରୁଛନ୍ତି ।