ଶୌଚାଳୟ ଗାତରେ ଖସି ପଡିଲା ବାଳକ, ବଞ୍ଚାଇବାକୁ ଯାଇ ୩ ଭାଇ ସମେତ ୫ ଜଣଙ୍କ ମୃତ୍ୟୁ

ଆଗ୍ରା,୧୬/୩ : ଜଣଙ୍କ ଜୀବନ ବଞ୍ଚାଇବାକୁ ଯାଇ ୫ ଜଣଙ୍କ ଦୁଃଖଦ ଜୀବନ ଚାଲିଗଲା। ଏମିତି ଅଭାବନୀୟ ଘଟଣା ଆଗ୍ରା ଜିଲ୍ଲାର ଫତେହାବାଦ ସହର ଅନ୍ତର୍ଗତ ପ୍ରତାପୁର ଗାଁରେ ଘଟିଛି। ଖେଳୁ ଖେଳୁ ଶୌଚାଳୟ ଗାତରେ ଖସି ପଡିଲା ବାଳକ। ତାକୁ ବଞ୍ଚାଇବାକୁ ଯାଇ ତାର ଦୁଇ ଭାଇ ମଧ୍ୟ ଗାତ ଭିତରକୁ ପଶିଲେ। ଯେବେ ତିନି ଜଣ ବିଷାକ୍ତ ଗ୍ୟାସ୍‌ର ଶିକାର ହେଲେ ତେବେ ସେମାନଙ୍କୁ ବଞ୍ଚାଇବାକୁ କକା ପୁଅ ଭାଇ ମଧ୍ୟ ଗାତକୁ ପଶିଲେ। ପୁଣି ଏହି ଚାରି ଜଣଙ୍କ ଜୀବନ ରକ୍ଷା କରିବାକୁ ଜଣେ ପଡୋଶୀ କାଳବିଳମ୍ବ ନକରି ଶୌଚାଳୟ ପାଇଁ ଖୋଳା ଯାଇଥିବା ଗାତକୁ ପଶିଥିଲେ। ହେଲେ ଜଣେ କେହି ଉପରକୁ ଆସିପାରିନଥିଲେ। ବିଷାକ୍ତ ଗ୍ୟାସ୍‌ରେ ଫସି ଜଣେ ପରେ ଜଣେ ପାଞ୍ଚ ଶିକାର ହୋଇଗଲେ। ଜିଲ୍ଲାପାଳ ଏହି ଘଟଣାରେ ମୃତକଙ୍କ ପରିବାର ପ୍ରତି ସମବେଦନା ବ୍ୟକ୍ତ କରିଛନ୍ତି।

ସୂଚନା ଅନୁଯାୟୀ ଫତେହବାଦର ପ୍ରତାପପୁରା ଗାଁର ବାସିନ୍ଦା ସୁରେନ୍ଦ୍ର ଘରେ ଶୌଚାଳୟ ପାଇଁ ୧୫ ଫୁଟର ଗାତ ଖୋଳିଥିଲେ। ମଙ୍ଗଳବାର ତାଙ୍କ ୧୨ ବର୍ଷର ପୁଅ ଅନୁରାଗ ବାହାରେ ଖେଳୁଥିବା ବେଳେ ଅଚାନକ ମାଟି ଧଶିଥିଲା ଏବଂ ଅନୁରାଗ ଗାତରେ ଖସି ପଡିଥିଲା। ଅନୁରାଗଙ୍କୁ ବଞ୍ଚାଇବା ପାଇଁ ତାର ଦୁଇ ଭାଇ ହରିମୋହନ ଓ ଅବିନାଶ ମଧ୍ୟ ଗାତକୁ ପଶିଥିଲେ। ମାତ୍ର ଗାତରେ ବିଷାକ୍ତ ଗ୍ୟାସ୍ କାରଣରୁ ସେମାନେ ମଧ୍ୟ ଚେତାଶୂନ୍ୟ ହୋଇ ପଡିଥିଲେ। ଏହା ଦେଖି ତାଙ୍କ କକା ପୁଅ ଭାଇ ସୋନୁ ମଧ୍ୟ ଗାତକୁ ପଶିଥିଲେ ଏବଂ ବାହାରକୁ ବାହାରିନଥିଲେ।

ଏହି ଚାରି ଜଣଙ୍କୁ ବଞ୍ଚାଇବା ପାଇଁ ପଡୋଶୀ ଯୁବକ ଯୋଗେଶ ମଧ୍ୟ କାଳବିଳମ୍ବ ନକରି ଗାତକୁ ଡେଇଁ ପଡିଥିଲେ। କେହି ହେଲେ ବାହାରକୁ ଆଉ ବାହାରରିନଥିଲେ। ପାଞ୍ଚ ଜଣ ଗାତରେ ଫସିଥିବା ଖବର ଶୁଣି ଗାଁରେ ଚହଳ ପଡି ଯାଇଥିଲା। ଗାଁ ଲୋକେ ଘଟଣାସ୍ଥଳରେ ପହଞ୍ଚି ଯାଇଥିଲେ। ପୋଲିସକୁ ସୂଚନା ଦେବା ପରେ ଉଦ୍ଧାରକାର୍ଯ୍ୟ ଆରମ୍ଭ ହୋଇଥିଲା। ଗାଁ ଲୋକେ ସମସ୍ତଙ୍କୁ ବାହାର କରିବା ବେଳକୁ ଅନୁରାଗର ମୃତ୍ୟୁ ଘଟି ସାରିଥିଲା ଏବଂ ବାକି ଚାରି ଜଣଙ୍କ ଅବସ୍ଥା ଗୁରୁତର ଥିଲା। ସଙ୍କଟାପନ୍ନ ଅବସ୍ଥାରେ ସେମାନଙ୍କୁ ଆଗ୍ରା ହସ୍ପିଟାଲ ପଠାଯାଇଥିଲା। କିନ୍ତୁ ୮୦ କିଲୋମିଟର ରାସ୍ତା ଅତିକ୍ରମ କରୁ କରୁ ଅଧ ବାଟରେ ହିଁ ବାକି ଚାରି ଜଣଙ୍କ ମୃତ୍ୟୁ ଘଟିଥିଲା।