ମହାକାଳପଡ଼ା,୨୮/୭ (କେଶବ ଚରଣ ନାଥ ) : କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଅଂଚଳରେ ପ୍ରଶାସନିକ ଅବହେଳା ଓ ଜନସଚେତନତା ଅଭାବରୁ ଦିନକୁ ଦିନ ବାଲ୍ୟ ବିବାହ ବୃଦ୍ଧି ପାଉଛି । ଗୋଟିକ ପରେ ଗୋଟିଏ ବାଲ୍ୟ ବିବାହ ଜାରି ରହୁଥିବା ବେଳେ ଅଭିଯୋଗ ପରେ ବି ପ୍ରଶାସନିକ ନୀରବତା ବାଲ୍ୟ ବିବାହକୁ ପ୍ରୋତ୍ସାହିତ କରୁଛି । ଯାହା ନେଇ ବତୀଘର ବଡ଼ଟୁବି ଗାଁ ପବିତ୍ର ବିଶ୍ୱାସଙ୍କ ସାବାଳକ ପୁଅ ବଉଳକଣି ମହେଶ୍ୱର ମଣ୍ଡଳଙ୍କ ନାବାଳିକା ଝିଅକୁ ବିବାହର ତଦନ୍ତ ରିପୋର୍ଟ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ନିକଟରେ ପହଂଚିବା ପୂର୍ବରୁ ରାମନଗରରେ ଆଉ ଜଣେ ନାବାଳକ ସ୍ଥାନୀୟ ନାବାଳିକାକୁ ବିବାହ କରିଛନ୍ତି ।
ଉଲ୍ଲେଖ ଥାଉକି, ରାମନଗରସ୍ଥ ଜମ୍ବୁ ଫାଣ୍ଡି ଠାରୁ ଅନାରିଦୁରରେ ୱାର୍ଡ ନମ୍ବର -୧ର ଶିବପଦ ଗାଏନଙ୍କ ନାବାଳକ ପୁଅ ପବିତ୍ର ଓରଫ ଭୋଳା ପେଟିଛେଲା ଗାଁ ର ଭରତ ଦାସଙ୍କ ନାବାଳିକା ଝିଅକୁ ବିବାହ କରିଛନ୍ତି । ଉଭୟ ଦମ୍ପତି ରାମନଗର ହାଇସ୍କୁଲର ଛାତ୍ର ଓ ଛାତ୍ରୀ ହୋଇଥିବା ବେଳେ ଚଳିତ ଶିକ୍ଷା ବର୍ଷ ଝିଅ ନବମ ଓ ପୁଅ ଦଶମ ଶ୍ରେଣୀକୁ ଉତୀର୍ଣ୍ଣ ହୋଇଛନ୍ତି । ଲୁଚାଇ ବିବାହ ସାରି ଘରେ ଚତୁର୍ଥୀ ପିଣ୍ଡ ପକାଇବାରୁ କଥା ଜଣାପଡିଲା । ଏନେଇ ଗାଁ ଲୋକଙ୍କୁ ଭୋଳାର ଜେଜ ଭୁଆଁ ବୁଲାଉଥିବା ବେଳେ ଅଙ୍ଗନ ବାଡ଼ି କର୍ମୀଙ୍କୁ ତଥ୍ୟ ନଦେବା ଆଳରେ ପୁଅ ପରିବାର ଲୋକେ ତାଙ୍କୁ ଗାଳିଗୁଲଜ କରିଥିଲେ । ବାଲ୍ୟ ବିବାହ ଭଳି ବେଆଇନ କାର୍ଯ୍ୟ କୁ ନିରୁତ୍ସାହିତ ତଥା ବନ୍ଦ କରିବା ଲକ୍ଷ୍ୟରେ ୱାର୍ଡର ମୁରବିମାନେ ଜମ୍ବୁ ସାମୁଦ୍ରିକ ଥାନାରେ ଅଭିଯୋଗ କରିଛନ୍ତି । ନାବାଳିକାଙ୍କୁ ଦାମ୍ପତ୍ୟ ଜୀବନ ସାମ୍ବିଧାନିକ ମତେ ବାରଣ ନେଇ ବାଲ୍ୟ ବିବାହ ନିବାରଣ ଆଇନ -୨oo୬ ପ୍ରଣୀତ ହୋଇଛି । ମାତ୍ର ଆଇନ ରକ୍ଷକମାନେ ଭକ୍ଷକ ସାଜିବାରୁ ଆଇନ କୁ ଖୁଲମ ଖୁଲା ଉଲଂଘନ କରି ଅଭିଭାବକ ଓ ସନ୍ତାନ ସନ୍ତତିମାନେ ଏଭଳି ଘୃଣ୍ୟ କାର୍ଯ୍ୟ କରି ଚାଲିଛନ୍ତି । ଏଭଳି ସମ୍ବେଦନ ଶିଳ ଘଟଣା ପ୍ରତି ଜିଲ୍ଲା ପାଳ, ଜିଲ୍ଲା ଆରକ୍ଷି ଅଧିକାରୀ ଓ ବିଭାଗୀୟ କର୍ତ୍ତୃ ପକ୍ଷ ଦୃଷ୍ଟି ନଦେଲେ ରାମନଗର, ଖରିନାସୀ ଓ ବତୀଘର ସମେତ ଜମ୍ବୁ ସାମୁଦ୍ରିକ ଅଂଚଳରେ ନାବାଳିକାଙ୍କ ଦାମ୍ପତ୍ୟ ଜୀବନ ସଙ୍କଟର ସମ୍ମୁଖୀନ ହେବ ।