ପ୍ରତିରକ୍ଷା ମନ୍ତ୍ରୀଙ୍କ ଉଚ୍ଚ ସ୍ତରୀୟ ବୈଠକ, ଚୀନକୁ ମୁହଁତୋଡ ଜବାବ୍ ଦେବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୨୧/୬ : ସୀମା ବିବାଦକୁ ନେଇ ଚୀନ୍ ଓ ଭାରତ ମଧ୍ୟରେ ତିକ୍ତତା ବଢି ଚାଲିଛି । ଗଲୱାନ ଘାଟିରେ ଦୁଇ ଦେଶ ମଧ୍ୟରେ ବିବାଦକୁ ନେଇ ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଉଚ୍ଚସ୍ତରୀୟ ବୈଠକ କରୁଛନ୍ତି।

ଆଜି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ଚିଫ୍ ଅଫ୍ ଡିଫେନ୍ସ ଜେନେରାଲ ବିପିନ୍ ରାୱତ୍ , ତିନି ସେନାର ମୁଖ୍ୟ ସାମିଲ ହୋଇଛନ୍ତି । ବର୍ତ୍ତମାନ ଲଦାଖରେ ବାସ୍ତବ ସ୍ଥିତିର ସମୀକ୍ଷା କରାଯିବ । ଆଗାମୀ ସମୟକୁ ପରିସ୍ଥିତିକୁ ନଜରରେ ରଖି ଚୀନ୍ କୁ କଡ଼ା ଜବାବ୍ ଦେବାକୁ ସେନା କିପରି ପ୍ରସ୍ତୁତି କରିବା ଆବଶ୍ୟକ ଏହି ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା ହେଉଛି ।

ଲଦାଖରେ ଭାରତ ଓ ଚୀନ୍ ସେନା ମଧ୍ୟରେ ହିଂସାକାଣ୍ଡ ପରେ ଭାରତ ଏବେ ସ୍ଥଳ, ଆକାଶ ଏବଂ ଜଳ ପଥରେ ସୁରକ୍ଷାକୁ ଅଧିକ କଡାକଡି କରିଛି । ୩ ସେନାକୁ ହାଇ ଆଲର୍ଟ ରେ ରଖାଯାଇଛି । ଲଦାଖ ସୀମାରେ ଫାଇଟର ଜେଟ୍ ଏବଂ ଆପାଚୀ ଆଟାକ୍ ହେଲିକପ୍ଟର ମୁତୟନ କରିଛି ଭାରତ ।  ଭାରତ ଏବେ ଚୀନ୍ ସୀମା ସହିତ ଲାଗି ରହିଥିବା ୩ ହଜାର ୫ ଶହ କିମି ସୀମା ଉପରେ କଡା ନଜର ରଖିଛି । ତିନି ସେନା ମଧ୍ୟ ହାଇଆଲର୍ଟରେ ରହିଛି । ଭାରତ ଏବେ ଲଦାଖ ସହିତ ଅରୁଣାଚଳ ପ୍ରଦେଶ, ଉତରାଖଣ୍ଡ, ହିମାଚଳ ପ୍ରଦେଶରେ ଲାଇନ୍ ଅଫ୍ ଆକଚୁଆଲ୍ କଂଟ୍ରୋଲ ସହିତ ସମସ୍ତ ଆଗୁଆ ପୋଷ୍ଟ ଗୁଡିକରେ ଅତିରିକ୍ତ ସୈନ୍ୟ ବଳ ମଧ୍ୟ ଠୁଳ କରିଛି ।