ନୂଆଦିଲ୍ଲୀ: ଗତ ପାଞ୍ଚ ମାସ ଧରି ସୀମାରେ ନିଜର ମନ୍ଦ ଉଦ୍ଦେଶ୍ୟ ପୂରଣ କରିବାରେ ବ୍ୟସ୍ତ ଥିବା ଚୀନ୍ ଶେଷରେ ଭାରତର କଥା ଗ୍ରହଣ କରିବାକୁ ପଡିଲା। ମଙ୍ଗଳବାର ଦୀର୍ଘ ଆଲୋଚନା ପରେ ଭାରତ ଏବଂ ଚୀନ୍ର ସୀମାରେ ଅଧିକ ସୈନ୍ୟ ଠୁଳ କରିବେ ନାହିଁ ବୋଲି ରାଜି ହୋଇଛନ୍ତି । ଏହା ଦ୍ୱାରା ଏଲଏସିରେ ଲାଗି ରହିଥିବା ଉତ୍ତେଜନା କମ୍ ହୋଇପାରିବ ବୋଲି ଦୁଇ ଦେଶ ସହମତ ହୋଇଛନ୍ତି । ଚୀନ୍ ଲଦାଖ ସୀମାର ବିଭିନ୍ନ ଭାଗରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିଲା, କିନ୍ତୁ ପ୍ରତ୍ୟେକ ଥର ଚୀନକୁ ପରାଜୟର ସମ୍ମୁଖୀନ ହେବାକୁ ପଡୁଥିଲା।
ଦୁଇ ଦେଶ ଆଗୁଆ ମୋର୍ଚା ଗୁଡିକୁ ଆଉ ଅଧିକ ସୈନ୍ୟ ବଳ ପଠାଇବେ ନାହିଁ ବୋଲି ଏହି ବୈଠକରେ ଭାରତ ସହିତ ସହମତ ହୋଇଛି ଚୀନ୍ । ବର୍ତ୍ତମାନ ଲଦାଖର ଏଲଏସିରେ ଫିଙ୍ଗର ୪ର ଗୁରୁତ୍ୱପୂର୍ଣ୍ଣ ଘାଟି ଗୁଡିକରେ ଭାରତୀୟ ସେନା କବଜା କରି ସାରିଛି । ଉଚ୍ଚ ଘାଟି ଗୁଡିକରେ ଭାରତୀୟ ସେନା ପହଞ୍ଚିବା ପରେ ପ୍ରକୃତରେ ଏଲଏସିରେ ଚୀନ ପାଇଁ ସ୍ଥିତି ଅଡୁଆ ହୋଇଛି । ଏହାରି ମଧ୍ୟରେ ବାରମ୍ୱାର ଏଲଏସିରେ ଚୀନ୍ ସେନାର ଅନୁପ୍ରବେଶ ଉଦ୍ୟମକୁ ଭାରତୀୟ ସେନା ବିଫଳ କରିଆସୁଛି ।
ଏହାରିି ଭିତରେ ଆଗକୁ ଶୀତ ଆସୁଥିବା ବେଳେ ଯୁଦ୍ଧ ସ୍ଥିତିର ମୁକାବିଲା ପାଇଁ ଭାରତ ଅସ୍ତ୍ରଶସ୍ତ୍ର ଓ ଅତ୍ୟାବଶ୍ୟକ ସାମଗ୍ରୀ ମଧ୍ୟ ମହଜୁଦ୍ କରି ସାରିଛି । ଏଲଏସିରେ ଚୀନର ଚାଲ୍ କାମ ଦେଉନଥିବାରୁ ଏବେ ଚୀନ୍, ପ୍ରତିରକ୍ଷା କମାଣ୍ଡର ସ୍ତରୀୟ ଆଲୋଚନାରେ ସୀମାରେ ଆଉ ସୈନ୍ୟ ବଳ ନଢାଇବାକୁ ରାଜି ହୋଇଛି । ତେବେ ଚୀନ୍ ଏହି ନିଷ୍ପତିକୁ କେତେ ଦୂର ପାଳନ କରୁଛି ତାହା ଉପରେ ରହିଛି ନଜର । ଖୁବଶୀଘ୍ର ଦୁଇ ଦେଶର ପ୍ରତିରକ୍ଷା କମାଣ୍ଡର ସ୍ତରୀୟ ଆଲୋଚନା ହେବା ନେଇ ସୀମା ଶାନ୍ତି ଆଲୋଚନା ଆଗକୁ ବଢାଇବାକୁ ମଧ୍ୟ ବୈଠକରେ ସହମତି ହୋଇଥିବା ନେଇ ଚୀନ ପକ୍ଷରୁ ସୂଚନା ଦିଆଯାଇଛି।