ନୂଆଦିଲ୍ଲୀ, ୫/୭ : ସୀମାରେ ଭାରତ-ଚୀନ୍ ସେନାଙ୍କ ମଧ୍ୟରେ ଉତ୍ତେଜନା ଲାଗି ରହିଥିବାବେଳେ ଚୀନ୍ ସରକାର ଭାରତ ଉପରେ ସାଇବର ଆକ୍ରମଣ କରିବା ପାଇଁ ଉଦ୍ୟମ ଚଳାଇଛନ୍ତି। ଦେଶର ୯୩ ପ୍ରତିଶତ ହ୍ୟାକର ଗ୍ରୁପ୍କୁ ଚୀନ୍ ସେନା ପାଣ୍ଠି ଯୋଗାଇଥାଏ। ବିଶ୍ୱର ସର୍ବବୃହତ୍ ହ୍ୟାକର ସେନା ଚୀନ୍ ନିକଟରେ ଅଛି। ଏମାନଙ୍କ ସଂଖ୍ୟା ପ୍ରାୟ ୩ଲକ୍ଷ। ଯୁଦ୍ଧ ସୈନ୍ୟଙ୍କ ଅପେକ୍ଷା ଶତ୍ରୁ ଦେଶ ଉପରେ ସାଇବାର ଆକ୍ରମଣ କରିବା ଅଧିକ ଉପଯୋଗୀ ସାବ୍ୟସ୍ତ ହୋଇ ପାରିବ ବୋଲି ଚୀନ୍ ସରକାର ଭାବୁଛନ୍ତି। ଚୀନ୍ ଓ ପାକିସ୍ତାନର ଏପରି ହ୍ୟାକର ଗ୍ରୁପ୍ଗୁଡ଼ିକୁ ଜବାବ ଦେବା ପାଇଁ ୨୦୧୯ରେ ଭାରତ ‘ଡିଫେନ୍ସ ସାଇବର ଏଜେନ୍ସି’ ଖୋଲିଥିଲା। ଶତ୍ରୁ ରାଷ୍ଟ୍ର ପକ୍ଷରୁ ଆସୁଥିବା ସାଇବର ଆକ୍ରମଣକୁ ଭାରତର ଏହି ଏଜେନ୍ସି ନିଷ୍କ୍ରିୟ କରି ଦେଉଛନ୍ତି।
ଚୀନ୍ ନିକଟରେ ବିଶ୍ୱର ସର୍ବବୃହତ୍ ହ୍ୟାକର ସେନା ଅଛନ୍ତି। ଏମାନଙ୍କ ସଂଖ୍ୟା ପ୍ରାୟ ୩ ଲକ୍ଷ୍ୟ ହେବ। ଏମାନଙ୍କ ମଧ୍ୟରୁ ୯୩ ପ୍ରତିଶତ ହ୍ୟାକର ଗ୍ରୁପ୍ଗୁଡ଼ିକୁ ଚୀନ୍ର ବୈଦେଶିକ ମନ୍ତ୍ରଣାଳୟ ଓ ସେନା ଆର୍ଥିକ ସହାୟତା ଯୋଗାଇ ଆସୁଛନ୍ତି। ଆମେରିକାଠାରୁ ଶିଖି ଚୀନ୍ ଏପରି କରିଛି। ୯୦ ଦଶକର ‘ଗଲ୍ ୱାର’ରେ ଆମେରିକା ସେନା ପ୍ରଥମ ଥର ପାଇଁ ସାଇବର ଆକ୍ରମଣର ସାହାରା ନେଇଥିଲା। ସାଇବର ଆକ୍ରମଣ ମାଧ୍ୟମରେ ଶତ୍ରୁ ଦେଶର ସମସ୍ତ ଗୁପ୍ତ ଦସ୍ତାବିଜ୍ ଆମେରିକା ଚୋରାଇ ନେଇଥିଲା। ସମସ୍ତ ଗୁପ୍ତ ତଥ୍ୟ ପାଇବା ପରେ ଆମେରିକା ଓ ଏହାର ମିତ୍ର ଦେଶର ସୈନ୍ୟ ଯୁଦ୍ଧରେ ବିଜୟୀ ହୋଇଥିଲେ। ଆମେରିକାର ଏହି ରଣନୀତିକୁ ଚୀନ୍ ଆପଣାଇ ଥିଲା। ମାରଣାସ୍ତ୍ର ସହ ଯୁଦ୍ଧ କରିବା ଅପେକ୍ଷା ସାଇବର ଆକ୍ରମଣ କରି ଶତ୍ରୁ ପକ୍ଷର ତଥ୍ୟ ହାସଲ କରିବା ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି ଚୀନ୍ ବୁଝିପାରିଥିଲା। ‘ଗଲ୍ ୱାର’ ପରେ ଅର୍ଥାତ୍ ୧୯୯୩ରେ ଚୀନ୍ ସେନା ଯୁଦ୍ଧରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟାକୁ ମହତ୍ୱ ଦେଇଥିଲା। ସେହିଦିନଠାରୁ ଚୀନ୍ ସରକାର ହ୍ୟାକର ଆର୍ମି ପ୍ରସ୍ତୁତ କରିଥିଲେ। ସାଇବର ଆକ୍ରମଣ ଜରିଆରେ ଶତ୍ରୁ ଦେଶର ଗୋପନୀୟ ତଥ୍ୟ ପାଇବା ଅଥବା ଯୋଗାଯୋଗ ବିଚ୍ଛିନ୍ନ କରିବା ଏହି ହ୍ୟାକରମାନଙ୍କ କାମ। ଚୀନ୍ର ଦୁଇ ପ୍ରକାର ଆର୍ମି କାର୍ଯ୍ୟରତ। ଗୋଟିଏ ହେଲା ପିପୁଲ୍ସ ଲିବରେସନ ଆର୍ମି (ପିଏଲଏ) ଓ ଅନ୍ୟଟି ହ୍ୟାକର ଆର୍ମି। ପିଏଲଏଗୁ ଯେମିତି ଗୁରୁତ୍ୱ ଦିଆଯାଇଥାଏ ହ୍ୟାକର ଆର୍ମିଙ୍କୁ ମଧ୍ୟ ସେହି ଅନୁଯାୟୀ ଗୁରୁତ୍ୱ ଦିଆଯାଇଥାଏ। ଚୀନ୍ର ହ୍ୟାକର ଆର୍ମି ଅନ୍ୟ ଦେଶର ପ୍ରତିରକ୍ଷା ସଂକ୍ରାନ୍ତ ଗୁପ୍ତ ସୂଚନା ଚୋରି କରିବା ସହ କମ୍ପ୍ୟୁଟର ନେଟୱର୍କ ଉପରେ ଆକ୍ରମଣ କରିଥା’ନ୍ତି। ଚୀନ୍ର ପିଏଲଏ ନିକଟରେ ଥିବା ହ୍ୟାକର ଆର୍ମିକୁ ୟୁନିଟ୍-୬୧୩୯୮ କୁହାଯାଉଛି। ସାଙ୍ଘାଇର ପୁଡୋଙ୍ଗ ନାମକ ସ୍ଥାନରେ ଏକ ୧୨ ତାଲା ଅଟ୍ଟାଲିକାରେ ଏଏହି ୟୁନିଟ୍ର କାର୍ଯ୍ୟାଳୟ ରହିଛି। ୨୦୧୩ ପର୍ଯ୍ୟନ୍ତ ଚୀନ୍ର ଏହି ୟୁନିଟ୍ ସଂକ୍ରାନ୍ତରେ ବିଶ୍ୱବାସୀ ଜାଣି ପାରି ନଥିଲେ। ଏହିବର୍ଷ ଆମେରିକାର ପ୍ରତିରକ୍ଷା ବିଭାଗ ଚୀନ୍ର ଏହି ହ୍ୟାକର ୟୁନିଟ ସଂକ୍ରାନ୍ତରେ ଜାଣିବାକୁ ପାଇଥିଲା। ଏମାନେ ପ୍ରଥମେ ଇ-ମେଲ କରନ୍ତି। ଏହି ଇ-ମେଲ ଉପରେ କ୍ଲିକ୍ କଲେ ହ୍ୟାକରମାନେ ଉକ୍ତ କମ୍ପ୍ୟୁଟରରେ ଥିବା ସମସ୍ତ ତଥ୍ୟ ଚୋରାଇ ନେଇଥାନ୍ତି।
ଶତ୍ରୁପକ୍ଷର ସାଇବର ଆକ୍ରମଣରୁ ଦେଶକୁ ସୁରକ୍ଷିତ ରଖିବା ପାଇଁ ୨୦୧୯ରେ ଭାରତ ‘ଡିଫେନ୍ସ ସାଇବର ଏଜେନ୍ସି’ ଗଠନ କରିଥିଲା। ଚୀନ୍ ଓ ପାକିସ୍ତାନ ପଟୁ ହେଉଥିବା ସାଇବର ଆକ୍ରମଣକୁ ରୋକିବା ଏହି ଏଜେନ୍ସିର ମୂଳ କାମ। ଏହି ଏଜେନ୍ସି ଭାରତର ତିନି ସେନାଙ୍କ ସହ ସମନ୍ୱୟ ରକ୍ଷା କରିବା ସହ ସେମାନଙ୍କୁ ସହଯୋଗ କରିଥାଏ।