ଚୀନ,୧୯ /୧୨ : ଚିଡ଼ିଆଖାନା ପିଞ୍ଜରାରେ ପଶୁପକ୍ଷୀଙ୍କ ସ୍ଥାନରେ ମନୁଷ୍ୟ ରହିବା ବିଚିତ୍ର କଥା, ଏଇ ଦୃଶ୍ୟ ଚୀନ୍ର ଜୁଇଲଙ୍ଗୋପୋ ଜିଲାର ଲେହଲେଦୁ ଚିଡ଼ିଆଖାନାରେ ଦେଖିବାକୁ ମିଳେ। ୧୯୫୫ରେ ତିଆରି ହୋଇଥିବା ଏହି ଚିଡ଼ିଆଖାନାରେ ଦୈନିକ ହଜାର ହଜାର ପର୍ଯ୍ୟଟକଙ୍କ ଭିଡ଼ ହେଉଥିବାବେଳେ କରୋନା କାରଣରୁ ଏବେ ସେଠାରେ କଟକଣା କରାଯାଇଛି । ବର୍ତ୍ତମାନ ସମୟରେ ଦୈନିକ ୧୫୦-୨୦୦ ଦର୍ଶକଙ୍କୁ ପ୍ରବେଶର ଅନୁମତି ମିଳୁଛି। ଚର୍ଚ୍ଚିତ ଏଇ ଚିଡ଼ିଆଖାନାର ବିଶେଷତ୍ବ ହେଲା, ବାଘ ସଫାରୀ, ସିଂହ ସଫାରୀରେ ପଶୁଙ୍କ ପାଇଁ ପିଞ୍ଜରାର ବ୍ୟବସ୍ଥା ନାହିଁ। ଏକ ବଡ଼ ପଡ଼ିଆର ଚାରିପାଖକୁ ପାଚେରି ଓ ଲୁହା ଜାଲିରେ ଘେରା ଯିବା ସହ ବାଘ, ସିଂହ ମୁକ୍ତ ହୋଇ ଭିତରେ ବୁଲନ୍ତି। ପଡ଼ିଆ ଭିତରକୁ ଦର୍ଶକଙ୍କୁ ଏକ ପିଞ୍ଜରା ଟ୍ରକ୍ରେ ନିଆଯାଇ ୧-୨ ଘଣ୍ଟା ରଖାଯାଏ। ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ମତରେ ମଣିଷ ଅନୁଭବ କରିବା ଦରକାର, ପିଞ୍ଜରା ବନ୍ଦୀ ହେବାର ଅନୁଭୂତି କିପରି? ପିଞ୍ଜରାରେ ଦର୍ଶକମାନେ ଛିଡ଼ା ହୋଇଥିବାବେଳେ ବାହାରେ ବାଘ, ସିଂହ ଅତି ପାଖରେ ବୁଲି ଗର୍ଜନ କରନ୍ତି। ଟ୍ରକ୍ ପିଞ୍ଜରା ଜାଲିରେ ବାଘଙ୍କ ଖାଦ୍ୟ କଟା ମାଂସକୁ ବନ୍ଧା ଯାଇଥାଏ, ବାଘ ସେସବୁ ଝାମ୍ଫି ଖାଏ। ୨୦୦୫ରୁ ଚିଡ଼ିଆଖାନାର ଟ୍ରକ୍ ପିଞ୍ଜରାରେ ଦର୍ଶକ ବୁଲିବା ନିୟମ ହୋଇଥିଲା। ସେବେଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ବାଘ, ସିଂହ ଆକ୍ରମଣରେ କୌଣସି ବ୍ୟକ୍ତି ମୃତାହତ ହୋଇନାହାନ୍ତି। ନ୍ୟୁଜିଲାଣ୍ଡର ଓରାନା ୱାଇଲ୍ଡ ଲାଇଫ୍ ପାର୍କରେ ମଧ୍ୟ ଦର୍ଶକଙ୍କୁ ଏଇଭଳି ପିଞ୍ଜରା ଟ୍ରକ୍ରେ ହିଂସ୍ରଜନ୍ତୁଙ୍କ ନିକଟତର ହେବାର ସୁବିଧା ମିଳିଥାଏ। ତେବେ ପିଞ୍ଜରାରେ ଯିବା ପୂର୍ବରୁ କର୍ତ୍ତୃପକ୍ଷ ସୂଚିତ କରନ୍ତି ଯେପରି ପିଞ୍ଜରା ଜାଲିରେ ହାତ ନଲଗାଇବେ କିମ୍ବା ଆଉଜି ଛିଡ଼ା ହେବାକୁ, ବାଘ, ସିଂହଙ୍କ ଭଳି ପ୍ରାଣୀ ଯେ କୌଣସି ସମୟରେ ଆକ୍ରମଣ କରିବାର ଭୟ ରହିଛି।