ଅରୁଣାଚଳ ପ୍ରଦେଶରୁ ପାଞ୍ଚ ଜଣଙ୍କୁ ଅପହରଣ କରିଛି ଚୀନ ସେନା !

ନୂଆଦିଲ୍ଲୀ: ଭାରତ ଏବଂ ଚୀନ୍ ସେନା ମଧ୍ୟରେ ତିକ୍ତତା ଜାରି ରହିଛି। ତେବେ ଏଭଳି ପରିସ୍ଥିତିରେ ଚୀନ୍ ସେନା ଅରୁଣାଚଳ ପ୍ରଦେଶରୁ ପାଞ୍ଚ ଜଣଙ୍କୁ ଅପହରଣ କରି ନେଇଥିବା ଖବର ସାମ୍ନାକୁ ଆସିଛି। ଅରୁଣାଚଳ ପ୍ରଦେଶର କଂଗ୍ରେସ ବିଧାୟକ ନିନୋଙ୍ଗ ଏରିଙ୍ଗ ଦାବି କରିଛନ୍ତି ଯେ, ଚୀନ୍ ସେନା ସୀମାରୁ ୫ଜଣ ଭାରତୀୟଙ୍କୁ ଅପହରଣ କରିଛି। ନାଗରିକମାନଙ୍କୁ ମୁକ୍ତ କରିବାକୁ ସେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି।

ଅରୁଣାଚଳ ପ୍ରଦେଶର କଂଗ୍ରେସ ବିଧାୟକ ନିନୋଙ୍ଗ ଏରିଙ୍ଗ ଦାବି କରିଛନ୍ତି ଯେ, ଚୀନ୍‌ର ପିପୁଲ୍ସ ଲିବରେସନ୍ ଆର୍ମି ଅରୁଣାଚଳ ପ୍ରଦେଶର ଉପର ସୁବାନସିରି ଜିଲ୍ଲାର ପାଞ୍ଚ ଜଣଙ୍କୁ ଅପହରଣ କରିଛି। କିଛି ମାସ ପୂର୍ବରୁ ଏଭଳି ଘଟଣା ଘଟିଥିଲା। ଚୀନ୍‌ର ଏଭଳି କାମ ପାଇଁ ତାକୁ ଉଚିତ୍ ଜବାବ ଦିଆଯିବା ଦରକାର ବୋଲି ଲେଖିବା ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟ୍ୟାଗ୍ କରିଛନ୍ତି ବିଧାୟକ ନିନୋଙ୍ଗ ଏରିଙ୍ଗ।

ଏହା ସହ କଂଗ୍ରେସ ବିଧାୟକ ନିନୋଙ୍ଗ ଏରିଙ୍ଗ ତାଙ୍କ ଟ୍ୱିଟ୍ ସହିତ ଦୁଇଟି ସ୍କ୍ରିନସଟ୍ ସଂଲଗ୍ନ କରିଛନ୍ତି। ଏଥିରେ ପାଞ୍ଚ ଜଣଙ୍କ ନାମ ଅନ୍ତର୍ଭୁକ୍ତ, ଯେଉଁମାନେ ଅପହରଣ ହୋଇଥିବା ଦାବି କରାଯାଇଛି। ନିନୋଙ୍ଗ ଏରିଙ୍ଗ କହିଛନ୍ତି ଯେ, ସରକାର ଚୀନ୍ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ଏବଂ ଚୀନ୍ ବିସ୍ତାରବାଦ ନୀତିର ଅନୁସନ୍ଧାନ କରିବା ଉଚିତ।