ଭୁବନେଶ୍ୱର ୨୧/୦୪: ଯାଜପୁର ରୋଡ଼ ଥାନା ବାଳୁଙ୍ଗାବନ୍ଦୀ ଗ୍ରାମରେ ଏକ ଅଭାବନୀୟ ଘଟଣା । ଜଣେ ମଦ୍ୟପ ଯୁବକଙ୍କ ଛୁରା ମାଡ଼ରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତ ଯୁବକ ସେହି ଗ୍ରାମର ୨୦ ବର୍ଷୀୟ ମଦନ ମଲ୍ଲିକ ଏବଂ ଗୁରୁତର ଆହତ ହୋଇଥିବା ବ୍ୟକ୍ତି ମଦନଙ୍କ ବାପା ସୁକାନ୍ତ ମଲ୍ଲିକ ବୋଲି ଜଣାପଡିଛି ।
ଆହତ ସୁକାନ୍ତଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ଛୁରାମାଡ କରିଥିବା ଗଣେଷ ମଲ୍ଲିକ ଙ୍କୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି ଯାଜପୁର ରୋଡ଼ ପୋଲିସ । ବାଳୁଙ୍ଗାବନ୍ଦୀ ଗ୍ରାମର ସୁକାନ୍ତ ମଲ୍ଲିକ ଦାଣ୍ଡରେ ବସିଥିବା ସମୟରେ ଗଣେଷ ମଦ୍ୟପାନ କରି ଗାଁ ଦାଣ୍ଡରେ ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଥିଲେ ।
ସୁକାନ୍ତ ଗଣେଶଙ୍କୁ ଗାଳିଗୁଲଜ ନକରିବାକୁ କହିବାରୁ ମଦ୍ୟପ ଗଣେଷ ସୁକାନ୍ତଙ୍କୁ ମାଡ ମାରିଥିଲେ। ଏହା ଦେଖି ସୁକାନ୍ତଙ୍କ ପୁଅ ମଦନ ଗଣେଶଙ୍କୁ ଅଟକାଇବା ସମୟରେ ଗଣେଶ ଏକ ଛୁରୀରେ ଉଭୟଙ୍କ ଉପରକୁ ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳରେ ଉଭୟ ବାପ ପୁଅ ଗୁରୁତର ହୋଇପଡିଥିଲେ । ପରେ ଗ୍ରାମବାସୀ ଉଭୟ ବାପ ଓ ପୁଅଙ୍କୁ ଉଦ୍ଧାର କରି ଦାନଗଦୀ ମେଡିକାଲରେ ଭର୍ତ୍ତି କରିଥିଲେ।
ମାତ୍ର ସେଠାରେ ପୁଅ ମଦନ ମଲ୍ଲିକ ଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ବାପା ସୁକାନ୍ତ ମଲ୍ଲିକ ଙ୍କୁ ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି ଡାକ୍ତର । ସେପଟେ ଅଭିଯୁକ୍ତ ମଦ୍ୟପ ଯୁବକ ଗଣେଶ ମଳିକ ଙ୍କୁ ଯାଜପୁର ରୋଡ଼ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି ଯାଜପୁର ରୋଡ଼ ପୋଲିସ ।
