ଜଳବାୟୁ ପରିବର୍ତ୍ତନର ସାଂଘାତିକ ସ୍ଥିତି: ଶୀତଳତା ହରାଉଛି ପୃଥିବୀ

ନୂଆଦିଲ୍ଲୀ: ପୃଥିବୀ ପୃଷ୍ଠରୁ ଧୀରେଧୀରେ ହ୍ରାସ ପାଉଛି ଶୀତଳତା । ଏହା ଜଳବାୟୁ ପରିବର୍ତ୍ତନର ଭୟଙ୍କର ପ୍ରଭାବ ବୋଲି ନାସା ବୈଜ୍ଞାନିକମାନେ ସୂଚନା ଦେଇଛନ୍ତି । ୧୯୦୦ ମସିହା ପରଠାରୁ ପୃଥିବୀର ତାପମାତ୍ରା ୧.୧ ଡିଗ୍ରୀ ସେଲ୍ସିୟସ ବୃଦ୍ଧି ପାଇଛି । ଏନେଇ ସାରା ବିଶ୍ୱରେ ଗଭୀର ଉଦବେଗ ପ୍ରକାଶ ପାଇଛି । ନାସା ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ ଗତ ୨ ଶତାବ୍ଦୀ ଧରି ଜଳବାୟୁ ପରିବର୍ତ୍ତନ ଯୋଗୁଁ ପୃଥିବୀ କିପରି ଉତ୍ତପ୍ତ ହେବାରେ ଲାଗିଛି ତାହା ଉଲ୍ଲେଖ କରାଯାଇଛି ।

ଏହି ଉତ୍ତାପ ବିଂଶ ଶତାବ୍ଦୀର ଶେଷ ଭାଗରେ କିଭଳି ଦ୍ରୁତ ଗତିରେ ବୃଦ୍ଧି ପାଇଥିଲା ସେକଥା ମଧ୍ୟ ଉଲ୍ଲେଖ କରାଯାଇଛି । ଏକବିଂଶ ଶତାବ୍ଦୀରେ ମଧ୍ୟ ଏହି ପ୍ରକ୍ରିୟା ଜାରି ରହିଛି । ୨୦୨୨କୁ ନାସା ପକ୍ଷରୁ ପଞ୍ଚମ ସର୍ବାଧିକ ଉତ୍ତପ୍ତ ବର୍ଷ ଭାବେ ଘୋଷଣା କରାଯାଇଛି । ବିଶ୍ୱର ହାରାହାରି ତାପମାତ୍ରାକୁ ହ୍ରାସ କରୁଥିବା ଲା ନିନାର ଉପସ୍ଥିତି ସତ୍ତେ୍ୱ ଏହା ଉତ୍ତାପ ଉପରେ କୌଣସି ପ୍ରଭାବ ପକାଇ ପାରୁନାହିଁ । ୨୦୨୨ରେ ବିଶ୍ୱର ହାରାହାରି ତାପମାତ୍ରା ୧୪.୭୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ସେହିପରି ଉତ୍ତପ୍ତ ତାଲିକାର ଏହା ଷଷ୍ଠ ସର୍ବାଧିକ ବୋଲି କୁହାଯାଉଛି ।

ବିଶ୍ୱର ୨୮ଟି ଦେଶର ସବୁଠାରୁ ଅଧିକ ତାପମାତ୍ରା ରେକର୍ଡ କରାଯାଇଛି । ସେଗୁଡ଼ିକ ମଧ୍ୟରେ ଚୀନ, ବ୍ରିଟେନ, ଫ୍ରାନ୍ସ, ଜର୍ମାନୀ, ନ୍ୟୁଜିଲାଣ୍ଡ ଓ ସ୍ପେନ ପ୍ରମୁଖ ରହିଛନ୍ତି । ଦୀର୍ଘ ୯ ବର୍ଷ ହେବ ବିଶ୍ୱର ତାପମାତ୍ରା ଏପରି ଭାବେ ବୃଦ୍ଧି ପାଇଚାଲିଛି । ୨୦୨୨ ସୁଦ୍ଧା ବିଶ୍ୱର ତାପମାତ୍ରା ୧.୧ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇଛି । ନାସାର ବୈଜ୍ଞାନିକମାନେ ଆହୁରି କହିଛନ୍ତି ଯେ ୨୦୨୩ରେ ମଧ୍ୟ ତାପମାତ୍ରାରେ ଅଧିକ ବୃଦ୍ଧି ଘଟିବ । ଏପରିକି ଲା ନିନାର ପ୍ରଭାବ ହ୍ରାସ ପାଇବାକୁ ଥିବା ବେଳେ ଏଲ୍ ନିନୋର ପ୍ରଭାବ ବୃଦ୍ଧି ପାଇବ ।

ତେଣୁ ୨୦୨୨ ତୁଳନାରେ ୨୦୨୩ରେ ଅଧିକ ଗରମ ଅନୁଭୂତ ହେବ । ଯଦିଓ ତାପମାତ୍ରା ବୃଦ୍ଧି ଲୋକଙ୍କ ଉପରେ ସେତେଟା ପ୍ରଭାବ ପକାଇ ପାରୁନି ତେବେ ଏହାର ପ୍ରଭାବ ପରିବେଶ ଉପରେ ପଡ଼ୁଛି । ଫଳରେ ବନ୍ୟା, ବାତ୍ୟା, ମରୁଡ଼ି ଭଳି ପ୍ରାକୃତିକ ବିପର୍ଯ୍ୟୟମାନ ଘଟିବାରେ ଲାଗିଛି । ଜଙ୍ଗଲରେ ନିଆଁ ଲାଗିବା ଠାରୁ ଆରମ୍ଭ କରି ତୁଷାରପାତ ପର୍ଯ୍ୟନ୍ତ ସବୁକିଛି ଜଳବାୟୁ ପରିବର୍ତ୍ତନ ଯୋଗୁଁ ଘଟି ଚାଲିଛି । ତେଣୁ ଏନେଇ ବିଶ୍ୱବାସୀ ସତର୍କ ରହିବା ପାଇଁ ନାସା ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି ।