ନୂଆଦିଲ୍ଲୀ : ଆସନ୍ତା ସପ୍ତାହ ସୁଦ୍ଧା ଦେଶରେ ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ ଟିକା ଓ ଅକ୍ସଫୋର୍ଡ ଟିକାର ଯଥାକ୍ରମେ ୨ୟ ଓ ୩ୟ ପର୍ଯ୍ୟାୟ ମାନବ ପରୀକ୍ଷଣ ଆରମ୍ଭ ହେବ । ଭାରତରେ ମଧ୍ୟ ଋଷିଆ ଦ୍ୱାରା ପ୍ରସ୍ତୁତ କରୋନା ଟିକା ସ୍ପୁଟନିକ-୫ର ମାନବ ପରୀକ୍ଷଣ ଆରମ୍ଭ ହେବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।
ଭାରତରେ ପୂର୍ବରୁ ଭାରତ ବାୟୋଟେକର କୋଭାକ୍ସିନ, ଅକ୍ସଫୋର୍ଡ ଦ୍ୱାରା ପ୍ରସ୍ତୁତ ଟିକା କୋଭିସିଲ୍ଡ ଓ ଜାଇଡସ କାଡିଲା ଦ୍ୱାରା ପ୍ରସ୍ତୁତ ଜାଇକୋଭ-ଡିର ମାନବ ପରୀକ୍ଷଣ କରାଯାଉଛି । ଆସନ୍ତା ସପ୍ତାହରେ କୋଭିସିଲ୍ଡର ୩ୟ ପର୍ଯ୍ୟାୟ ମାନବ ପରୀକ୍ଷଣ ଆରମ୍ଭ ହେବାକୁ ଥିବାବେଳେ କୋଭାକ୍ସିନ ଓ ଜାଇକୋଭ-ଡି ର ୨ୟ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ ହେବ । ତେବେ ଋଷିଆର ସ୍ପୁଟନିକ-୫ ଟିକାର ୩ୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ଯୋଜନା କରାଯାଉଛି । ଆସନ୍ତା ମାସଠାରୁ ଏହାର ୩ୟ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ ହେବାର ସମ୍ଭାବନା ରହିଛି ବୋଲି ନିତି ଆୟୋଗର ସଦସ୍ୟ ଭି.କେ. ପଲ କହିଛନ୍ତି ।