ଭୁବନେଶ୍ୱର, ୧୪/୯ : ରାଜ୍ୟର ବିଭିନ୍ନ ସ୍ଥାନରେ କୋଭିଡ କେୟାର ସେଣ୍ଟର ବନ୍ଦ ହେବ। ସମସ୍ତ ଜିଲ୍ଲାରେ ଥିବା ଅସ୍ଥାୟୀ ମେଡିକାଲ୍ ସେଣ୍ଟର ଓ କୋଭିଡ୍ କେୟାର ସେଣ୍ଟର ବନ୍ଦ ପାଇଁ ସରକାର ନଷ୍ପତ୍ତି ନେଇଛନ୍ତି। ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ।
କରୋନା ମହାମାରୀକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପ୍ରତ୍ୟେକ ଜିଲ୍ଲା ସମେତ ପଞ୍ଚାୟତ ସ୍ତରରେ ଅସ୍ଥାୟୀ ମେଡିକାଲ ସେଣ୍ଟର(ଟିଏମସି) ଓ କୋଭିଡ୍ କେୟାର ସେଣ୍ଟର ଖୋଲିବାକୁ ନିଷ୍ପତ୍ତି ନେଇଥିଲେ । ତେବେ ଅସ୍ଥାୟୀ ମେଡିକାଲ ସେଣ୍ଟର(ଟିଏମସି) ଓ କୋଭିଡ୍ କେୟାର ସେଣ୍ଟରରେ ଆବଶ୍ୟକ ରୋଗୀ ନଥିବାରୁ ଏହିସବୁ ସେଣ୍ଟରକୁ ବନ୍ଦ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।
କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଦେଶରେ କିନ୍ତୁ କରୋନା କଟକଣା କୋହଳ କରାଯାଇଛି। ଏହାକୁ ଲକ୍ଷ୍ୟରେ ରଖି ଲୋକମାନେ କରୋନା ନିୟମ ପାଳନ କରିବା ସହ ନିଜ କର୍ତବ୍ୟସ୍ଥଳକୁ ଯାଉଛନ୍ତି। ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧି ପାଇଥିବା ବେଳେ କରୋନା ଆକ୍ରାନ୍ତ ନିଜ ଘରେ ପୃଥକବାସରେ ରହି ଚିକିତ୍ସିତ ହୋଇପାରୁଛନ୍ତି। ତେଣୁ ଅସ୍ଥାୟୀ ମେଡିକାଲ ସେଣ୍ଟର(ଟିଏମସି) ଓ କୋଭିଡ୍ କେୟାର ସେଣ୍ଟରରେ ରୋଗୀ ଆସୁନଥିବା ଜଣାପଡ଼ିଛି । ଏବେ ଏହିସବୁ ସେଣ୍ଟରକୁ ବନ୍ଦ କରିବା ଦ୍ୱାରା ଖର୍ଚ୍ଚ ବନ୍ଦ ହୋଇପାରିବ ବୋଲି ସୂଚନା ମିଳିଛି । ଯଦି ଜରୁରୀଭିତ୍ତିରେ ଏଭଳି ସେଣ୍ଟର୍ ଆବଶ୍ୟକ ପଡ଼େ, ତେବେ ସ୍ୱଳ୍ପକାଳୀନ ନୋଟିସ୍ରେ ତାହା ପୁଣି ନିର୍ମାଣ କରିଦିଆଯିବ ବୋଲି ସ୍ୱାସ୍ଥ୍ୟ ବିଭାଗର ଏହି ପତ୍ରରେ ଉଲ୍ଲେଖ ରହିଛି।